ଭୁବନେଶ୍ୱର, ୦୯/୦୮ : କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘର ୧୩ତମ ସଂସ୍କରଣ ଆଜି ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ରାଷ୍ଟ୍ରଦୂତ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଏବଂ ଆନାଲିସିସ୍ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ସୁଜନ ଚିନୟ ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ ଓ ଦଳଗତ ଭାବେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ଉଦାହରଣ ଦେଇ ସେ କହିଥିଲେ, ଭୁବନେଶ୍ୱରକୁ ଏକ ବିଶାଳ ଶିକ୍ଷା ହବ୍ ରେ ପରିଣତ କରିବା ଦିଗରେ ଅଚ୍ୟୁତ ସାମନ୍ତଙ୍କ ଯୋଗଦାନ ପ୍ରଶଂସନୀୟ । ଆମେ ଜଳବାୟୁ ପରିବର୍ତ୍ତନ, ସବୁଜ ପରିବର୍ତ୍ତନ, ଖାଦ୍ୟ ଏବଂ ଶକ୍ତି ସୁରକ୍ଷା ସମେତ ପ୍ରମୁଖ ଚ୍ୟାଲେଞ୍ଜର ମୁକାବିଲା ପାଇଁ ବିଶ୍ୱ ସମୁହ ସହ ଏକାଠି କାମ କରିବାକୁ ଭାରତ ସର୍ବଦା ପ୍ରସ୍ତୁତ ରହିଛି ବୋଲି ସେ କହିଥିଲେ ।
ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ କହିଥିଲେ, କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ରଛାତ୍ରୀମାନେ ଶିକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଆସୁଛନ୍ତି । ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଲେ, ତୁମେମାନେ ନିଜ ପ୍ରତି ଭଲ ହେବାକୁ ଚେଷ୍ଟା କର ଓ ସମାଜ ପ୍ରତି ଭଲ ହେବାକୁ ଚେଷ୍ଟା କର । ତୁମେ ଯେତେ ବଡ଼ ହେଲେ ମଧ୍ୟ ନିଜେ ଭଲ ହେଲେ ଦେଶକୁ ସକାରାତ୍ମକ ଭାବରେ ପରିବର୍ତ୍ତନ କରିପାରିବ । ଏଭଳି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଗୋଟିଏ ଲେଖାଏଁ ଚିନ୍ତାଧାରା ନେଇ ଆସିଥାନ୍ତି, ମାତ୍ର ଯିବା ସମୟରେ ଅନେକ ଚିନ୍ତାଧାରା ନିଜ ସହ ନେଇ ଫେରିଥାନ୍ତି ବୋଲି ସେ କହିଥିଲେ । ୧୩ତମ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ କାର୍ଯ୍ୟକ୍ରମରେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ସମେତ ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ଆଦି ଭାରତର ବିଭିନ୍ନ ସ୍ଥାନର ୧ଶହ ବିଦ୍ୟାଳୟରୁ ୧୫ଶହ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଏହି ଛାୟା ଜାତିସଂଘ କାର୍ଯ୍ୟକ୍ରମରେ ୧୩ଟି ବିଭିନ୍ନ କମିଟି ଗଠନ କରାଯାଇଛି । ଏହି ଛାୟା ଜାତିସଂଘ କାର୍ଯ୍ୟକ୍ରମରେ ୧୩ଟି ବିଭିନ୍ନ କମିଟି ଗଠନ କରାଯାଇ ପ୍ରତିନିଧିମାନେ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ଏବଂ ବିତର୍କରେ ସାମିଲ ହେବେ ବୋଲି ସ୍କୁଲର ଅଧ୍ୟକ୍ଷ ଡ ସଞ୍ଜୟ ସୁଆର ସୂଚନା ଦେଇଥିଲେ।