ଭୁବନେଶ୍ୱର, ୧୪/୦୮ : କିଟ୍ ଓ କିସ୍ ର ଛାତ୍ରଛାତ୍ରୀଙ୍କ ସହ ଆଜି ଆଲୋଚନା କରିଛନ୍ତି ଭାରତୀୟ ଟେନିସ୍ କିମ୍ବଦନ୍ତୀ ତଥା ଅଲିମ୍ପିଆନ୍ ପଦ୍ମ ଭୂଷଣ ଲିଆଣ୍ଡର ପେସ୍ । କିଟ୍ ଚେସ୍ ହଲ୍ ରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଲିଆଣ୍ଡର ପେସ୍ ଛାତ୍ରଛାତ୍ରୀଙ୍କୁ ଟେନିସ୍ , କ୍ରୀଡ଼ା ଏବଂ ସଫଳତାର ବିଭିନ୍ନ ଦିଗ ନେଇ ମାର୍ଗଦର୍ଶନ କରିଛନ୍ତି। ଟେନିସ୍ କ୍ୟାରିୟରର ଅଭିଜ୍ଞତା ବାଣ୍ଟିବା ସହ ଖେଳରେ ନିୟମିତ ଅଭ୍ୟାସ, ଶୃଙ୍ଖଳା, ଧୈର୍ଯ୍ୟ ଓ ଦୃଢ଼ ମନୋବଳର ଗୁରୁତ୍ୱ ସମ୍ପର୍କରେ ପିଲାମାନଙ୍କୁ କହିଛନ୍ତି ଲିଆଣ୍ଡର ପେସ୍ । ଟେନିସ୍ ଭଳି କ୍ରୀଡ଼ାରେ ସଫଳ ହେବା ପାଇଁ ପ୍ରତିଭା ସହ କଠିନ ପରିଶ୍ରମ ଓ ନିରନ୍ତର ଅଭ୍ୟାସ ଆବଶ୍ୟକ ବୋଲି ସେ କହିଛନ୍ତି। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ କ୍ରୀଡ଼ା ପ୍ରତି ଅବଦାନ ଏବଂ ଯୁବ ପ୍ରତିଭାଙ୍କୁ ଆଗକୁ ଆଣିବା ପାଇଁ ତାଙ୍କ ପ୍ରୟାସକୁ ମଧ୍ୟ ପ୍ରଶଂସା କରିଛନ୍ତି ଲିଆଣ୍ଡର ପେସ୍ ।
କିଟ୍ ପକ୍ଷରୁ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦିଆଯାଉଥିବାରୁ ଏଠାକାର ଛାତ୍ରଛାତ୍ରୀମାନେ କ୍ରୀଡ଼ା କ୍ଷେତ୍ରରେ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ବ୍ୟାପକ ସୁଯୋଗ ପାଉଛନ୍ତି। କିଟ୍ ପକ୍ଷରୁ ଦେଶର ଯୁବ କ୍ରୀଡ଼ା ପ୍ରତିଭାଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ କ୍ରୀଡ଼ାରେ ଉନ୍ନତ ପ୍ରଶିକ୍ଷଣ ଓ ଭିତ୍ତିଭୂମି ଯୋଗାଇ ଦିଆଯାଉଛି। ଲିଆଣ୍ଡର ପେସ୍ ଙ୍କ ସହ ଆଜିର ଏହି ଆଲୋଚନା ଛାତ୍ରଛାତ୍ରୀଙ୍କୁ ଟେନିସ୍ ସହ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରେରଣା ଦେଇଛି।