ନୂଆଦିଲ୍ଲୀ, ୧୪/୦୮ : ଯେତେବେଳେ ସାରା ଦେଶ ଅଗଷ୍ଟ ୧୫ ତାରିଖ ସକାଳେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତ ହୁଏ, ସେତେବେଳେ ବିହାରର ପୂର୍ଣ୍ଣିଆ ଜିଲ୍ଲା ମଧ୍ୟରାତ୍ରିରୁ ହିଁ ଦେଶପ୍ରେମର ରଙ୍ଗରେ ରଙ୍ଗିଯାଏ। ସହରର ଭଟ୍ଟା ବଜାରସ୍ଥିତ ଝଣ୍ଡା ଚୌକରେ ଅଗଷ୍ଟ ୧୪ ତାରିଖ ମଧ୍ୟରାତ୍ରି ୧୨ଟା ୦୧ ମିନିଟରେ ତ୍ରିରଙ୍ଗା ଉତ୍ତୋଳନର ୭୯ ବର୍ଷ ପୁରୁଣା ପରମ୍ପରା ଆଜି ବି ଜାରି ରହିଛି। ୧୯୪୭ ମସିହାରେ ଆରମ୍ଭ ହୋଇଥିବା ଏହି ପରମ୍ପରା ପ୍ରତିବର୍ଷ ସମାନ ଉତ୍ସାହ ଓ ସମ୍ମାନର ସହ ପାଳନ କରାଯାଉଛି। ରାତି ୧୨ଟା ୦୧ ମିନିଟ ହେବା ମାତ୍ରେ ‘ଭାରତ ମାତା କୀ ଜୟ’ ଏବଂ ‘ବନ୍ଦେ ମାତରମ୍’ ନାରାରେ ଗୁଞ୍ଜରିତ ହୋଇଉଠେ ଅଞ୍ଚଳ, ଆଉ ଲହରି ଉଠେ ତ୍ରିରଙ୍ଗା।
ଏହି ଐତିହାସିକ ପରମ୍ପରାର ମୂଳଦୁଆ ୧୪ ଅଗଷ୍ଟ ୧୯୪୭ର ସେହି ରାତିରେ ପଡ଼ିଥିଲା, ଯେତେବେଳେ ସାରା ଦେଶ ସ୍ୱାଧୀନତା ଘୋଷଣାକୁ ଅପେକ୍ଷା କରିଥିଲା। ପୂର୍ଣ୍ଣିଆର ଭଟ୍ଟା ବଜାରସ୍ଥିତ ମିଶ୍ର ରେଡିଓ ଦୋକାନ ବାହାରେ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ। ରାତି ପ୍ରାୟ ୧୧ଟା ସମୟରେ ସ୍ୱାଧୀନତା ସଂଗ୍ରାମୀ ରାମେଶ୍ୱର ପ୍ରସାଦ ସିଂହ, ତାଙ୍କ ସହଯୋଗୀ ରାମରତନ ସାହ, କମଳ ଦେବ ନାରାୟଣ ସିହ୍ନା, ଗଣେଶ ଚନ୍ଦ୍ର ଦାସ ଏବଂ ଶମସୁଲ ହକ୍ଙ୍କ ସମେତ ଅନେକ ଲୋକ ସେଠାରେ ପହଞ୍ଚିଥିଲେ। ରେଡିଓରେ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ଲର୍ଡ ମାଉଣ୍ଟବ୍ୟାଟେନ୍ଙ୍କ ପକ୍ଷରୁ ଭାରତ ସ୍ୱାଧୀନ ହେବାର ଔପଚାରିକ ଘୋଷଣା ହେବା ମାତ୍ରେ ସାରା ଅଞ୍ଚଳ ‘ଭାରତ ମାତା କୀ ଜୟ’ ନାରାରେ ଗୁଞ୍ଜି ଉଠିଥିଲା।ସ୍ୱାଧୀନତା ସଂଗ୍ରାମୀମାନେ ନିଷ୍ପତ୍ତି ନେଲେ ଯେ, ଦେଶ ସ୍ୱାଧୀନତାର ପ୍ରଥମ ନିଶ୍ୱାସ ନେବା ସହିତ ତ୍ରିରଙ୍ଗା ଉତ୍ତୋଳନ କରାଯିବ।
ତୁରନ୍ତ ବାଉଁଶ, ଦଉଡ଼ି ଏବଂ ତ୍ରିରଙ୍ଗା ଅଣାଯାଇଥିଲା। ଏହାପରେ ଠିକ୍ ରାତି ୧୨ଟା ୦୧ ମିନିଟରେ ସ୍ୱାଧୀନତା ସଂଗ୍ରାମୀ ରାମେଶ୍ୱର ପ୍ରସାଦ ସିଂହ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି ଐତିହାସିକ ଘଟଣା ପରେ ଏହି ଛକର ନାମ ‘ଝଣ୍ଡା ଚୌକ’ ରଖାଯାଇଥିଲା। ସ୍ୱାଧୀନତାର ସେହି ପ୍ରଥମ ରାତିରେ ସ୍ୱାଧୀନତା ସଂଗ୍ରାମୀ ଏବଂ ସ୍ଥାନୀୟ ଲୋକମାନେ ଏକ ସାମୂହିକ ସଂକଳ୍ପ ନେଇଥିଲେ—ଯେପର୍ୟ୍ୟନ୍ତ ଏହି ସୃଷ୍ଟି ରହିବ, ସେପର୍ୟ୍ୟନ୍ତ ପ୍ରତିବର୍ଷ ଅଗଷ୍ଟ ୧୪ ମଧ୍ୟରାତ୍ରିରେ ଏହି ଚୌକରେ ତ୍ରିରଙ୍ଗା ଉତ୍ତୋଳନ କରାଯିବ। ରାମେଶ୍ୱର ପ୍ରସାଦ ସିଂହଙ୍କ ଦେହାନ୍ତ ପରେ ତାଙ୍କ ପୁଅ ସୁରେଶ କୁମାର ସିଂହ ଏହି ପରମ୍ପରାକୁ ଆଗକୁ ବଢ଼ାଇଥିଲେ। ଏବେ ତାଙ୍କ ନାତି ତଥା ସାମାଜିକ କର୍ମୀ ବିପୁଲ ସିଂହ, ସ୍ଥାନୀୟ ଜନପ୍ରତିନିଧି ଓ ସହରବାସୀଙ୍କ ସହ ମିଶି ଏହି ଐତିହାସିକ ପରମ୍ପରାକୁ ଜୀବନ୍ତ ରଖିଛନ୍ତି। ପ୍ରତିବର୍ଷ ଅଗଷ୍ଟ ୧୪ ରାତିରେ ସହରର ବିଭିନ୍ନ ସ୍ଥାନରୁ ଲୋକେ ଝଣ୍ଡା ଚୌକରେ ପହଞ୍ଚନ୍ତି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ୟ୍ୟନ୍ତ ସମସ୍ତେ ହାତରେ ତ୍ରିରଙ୍ଗା ଧରି ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୁଅନ୍ତି।
ରାତି ୧୨ଟା ୦୧ ମିନିଟ ହେବା ମାତ୍ରେ ସାରା ଝଣ୍ଡା ଚୌକ ‘ଭାରତ ମାତା କୀ ଜୟ’ ଏବଂ ‘ବନ୍ଦେ ମାତରମ୍’ ନାରାରେ ଗୁଞ୍ଜି ଉଠେ। ଅନ୍ଧାର ରାତିରେ ଲହରି ଉଠୁଥିବା ତ୍ରିରଙ୍ଗା ସ୍ୱାଧୀନତାର ସେହି ପ୍ରଥମ ରାତିକୁ ମନେ ପକାଇଦିଏ, ଯେତେବେଳେ ଦେଶ ଦାସତ୍ୱର ଶୃଙ୍ଖଳ ଭାଙ୍ଗି ସ୍ୱାଧୀନତାର ପ୍ରଥମ ନିଶ୍ୱାସ ନେଇଥିଲା। ଯେତେବେଳେ ସାରା ଦେଶ ଅଗଷ୍ଟ ୧୫ ସକାଳକୁ ଅପେକ୍ଷା କରେ, ସେତେବେଳେ ପୂର୍ଣ୍ଣିଆ ମଧ୍ୟରାତ୍ରିରେ ହିଁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ୱାଧୀନତା ଉତ୍ସବ ଆରମ୍ଭ କରିଦିଏ। ଝଣ୍ଡା ଚୌକର ଏହି ପରମ୍ପରା କେବଳ ଏକ ଧ୍ୱଜାରୋହଣ ନୁହେଁ, ବରଂ ସ୍ୱାଧୀନତାର ସେହି ଐତିହାସିକ ମୁହୂର୍ତ୍ତର ଏକ ଜୀବନ୍ତ ସ୍ମୃତି, ଯାହାକୁ ପୂର୍ଣ୍ଣିଆର ପିଢ଼ି ପରେ ପିଢ଼ି ଆଜି ବି ଗର୍ବର ସହ ସାଇତି ରଖିଛନ୍ତି।