ସ୍ବାଧୀନତା ଦିବସ ପୂର୍ବରୁ ୧୦୫୭ ଜଣଙ୍କୁ ସାହସିକତା ଓ ସେବା ପଦକ ଘୋଷଣା

ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ, ୯ ଜଣଙ୍କୁ ସାହସିକତା ପଦକ

ନୂଆଦିଲ୍ଲୀ: ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ପୁଲିସ, ଅଗ୍ନିଶମ ସେବା, ହୋମଗାର୍ଡ ଓ ସିଭିଲ୍‌ ଡିଫେନ୍ସ ଏବଂ କାରାଗାର ସେବାର ମୋଟ ୧୦୫୭ ଜଣ କର୍ମଚାରୀଙ୍କୁ ସାହସିକତା ଓ ସେବା ପଦକ ପ୍ରଦାନ କରାଯାଇଛି। ଏଥିରେ ଛତିଶଗଡ଼ ପୁଲିସର ଦୁଇ କନଷ୍ଟେବଲ ନିତେଶ ଏକ୍କା ଓ ରମେଶ କୋରେଟି ଏବଂ ଉତ୍ତରପ୍ରଦେଶ ପୁଲିସର ଇନ୍ସପେକ୍ଟର ସୁନୀଲ କୁମାରଙ୍କୁ ମରଣୋତ୍ତର ଭାବେ ସାହସିକତା ପଦକ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଏହି ପଦକ ଘୋଷଣା କରିଛି।

ମୋଟ ୧୦୫୭ ପଦକ ମଧ୍ୟରୁ ୩୦୧ଟି ସାହସିକତା ପଦକ, ଉଲ୍ଲେଖନୀୟ ସେବା ପାଇଁ ୯୨ଟି ରାଷ୍ଟ୍ରପତି ପଦକ ଏବଂ ୬୬୪ଟି ମେରିଟୋରିୟସ୍‌ ସର୍ଭିସ୍‌ ପଦକ ରହିଛି। ସାହସିକତା ପଦକ ଜୀବନ ଓ ସମ୍ପତ୍ତି ରକ୍ଷା, ଅପରାଧ ରୋକିବା କିମ୍ବା ଅପରାଧୀଙ୍କୁ ଗିରଫ କରିବା ସମୟରେ ଅସାଧାରଣ ସାହସ ପ୍ରଦର୍ଶନ ପାଇଁ ଦିଆଯାଏ। ୩୦୧ ସାହସିକତା ପଦକ ମଧ୍ୟରୁ ୨୭୨ଟି ପୁଲିସ କର୍ମଚାରୀ ଓ ୨୯ଟି ଅଗ୍ନିଶମ ସେବା କର୍ମଚାରୀଙ୍କୁ ମିଳିଛି। ଏହି ପଦକ ପାଇଥିବା ୩୦୧ ଜଣଙ୍କ ମଧ୍ୟରୁ ୧୯୭ ଜଣ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର, ୫୧ ଜଣ ଜମ୍ମୁ-କାଶ୍ମୀର ଅଞ୍ଚଳର, ୧୨ ଜଣ ଉତ୍ତର-ପୂର୍ବାଞ୍ଚଳର ଏବଂ ଅନ୍ୟ ୪୧ ଜଣ ଦେଶର ବିଭିନ୍ନ ଅଞ୍ଚଳରେ ସାହସିକ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଛନ୍ତି।

୯୨ଟି ରାଷ୍ଟ୍ରପତି ପଦକ ମଧ୍ୟରୁ ୮୩ଟି ପୁଲିସ ସେବା, ୪ଟି ଅଗ୍ନିଶମ ସେବା, ୩ଟି ସିଭିଲ୍‌ ଡିଫେନ୍ସ ଓ ହୋମଗାର୍ଡ ସେବା ଏବଂ ୨ଟି କାରାଗାର ସେବା ପାଇଁ ଦିଆଯାଇଛି। ଏହି ପଦକ ଦୀର୍ଘ ସମୟ ଧରି ଉଲ୍ଲେଖନୀୟ ଓ ବିଶିଷ୍ଟ ସେବା ପାଇଁ ପ୍ରଦାନ କରାଯାଏ। ସେହିପରି ୬୬୪ଟି ମେରିଟୋରିୟସ୍‌ ସର୍ଭିସ୍‌ ପଦକ ମଧ୍ୟରୁ ୬୦୬ଟି ପୁଲିସ ସେବା, ୨୮ଟି ଅଗ୍ନିଶମ ସେବା, ୧୮ଟି ସିଭିଲ୍‌ ଡିଫେନ୍ସ ଓ ହୋମଗାର୍ଡ ସେବା ଏବଂ ୧୨ଟି କାରାଗାର ସେବାର କର୍ମଚାରୀଙ୍କୁ ମିଳିଛି। ମୂଲ୍ୟବାନ ସେବା, କାର୍ଯ୍ୟରେ ଦକ୍ଷତା ଓ କର୍ତ୍ତବ୍ୟ ପ୍ରତି ନିଷ୍ଠା ପାଇଁ ଏହି ପଦକ ପ୍ରଦାନ କରାଯାଏ।