ଢେଙ୍କାନାଳ,୧୪/୮ : ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବୀର ବାଜି ରାଉତଙ୍କ ଜନ୍ମମାଟି ଢେଙ୍କାନାଳ ଭୁବନ ଠାରେ ଆୟୋଜିତ ‘ତ୍ରିରଙ୍ଗା ପଦଯାତ୍ରା ସମାରୋହ’ରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଛନ୍ତି।
ଏହି ଅବସରରେ ସେ କହିଛନ୍ତି, ବୀର ବାଜି ରାଉତ ହେଉଛନ୍ତି ଯୁବକତ୍ୱ, ସାହସ, ତ୍ୟାଗ, ଦେଶପ୍ରେମ ଓ ବଳିଦାନର ଅମର ପ୍ରତୀକ। ଖେଳକୁଦ ବୟସରେ ଦେଶ ମାତୃକା ପାଇଁ ସେ ଯେଉଁଭଳି ଭାବେ ବଳିଦାନ ଦେଇଥିଲେ, ତାହା ଆଜିର ନୂଆପିଢ଼ି ପାଇଁ ବୀରତ୍ୱର ଚରମ ନିଦର୍ଶନ।
ସେ କହିଛନ୍ତି, ବିପ୍ଳବୀ ସାରଙ୍ଗଧର ଦାସ, ବୀର ବୈଷ୍ଣବ ପଟ୍ଟନାୟକ, ମୂଷା ମଲ୍ଲିକ, ମହେଶ ଚନ୍ଦ୍ର ସୁବାହୁ ସିଂହ ଓ ପବିତ୍ର ମୋହନ ପ୍ରଧାନଙ୍କ ଭଳି ମହାନୁଭବଙ୍କ ଅତୁଳନୀୟ ତ୍ୟାଗ ଓ ବଳିଦାନ ବଳରେ ଇଂରେଜ ଶାସନ ବିରୋଧରେ ଏହି ଅଞ୍ଚଳ ସ୍ୱାଧୀନତା ସଂଗ୍ରାମର ପ୍ରମୁଖ କେନ୍ଦ୍ର ପାଲଟିଥିଲା। ଆମେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ଆଡ଼କୁ ଅଗ୍ରସର ହେଉଥିବା ବେଳେ ଢେଙ୍କାନାଳ ଓ ଓଡ଼ିଶାକୁ ବିକଶିତ କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ିବା ।