ଭୁବନେଶ୍ୱର, ୨୧/୦୮ : କିଟ୍ ପଲିଟେକ୍ନିକର ୩୨ତମ ପ୍ରତିଷ୍ଠା ଦିବସ । ନବାଗତଙ୍କୁ ସଫଳ କ୍ୟାରିୟର ମନ୍ତ୍ର ଦେଲେ ପ୍ରତିଷ୍ଠାତା । କିଟ୍ ପଲିଟେକ୍ନିକର ୩୨ତମ ପ୍ରତିଷ୍ଠା ଦିବସ ଏବଂ ନବାଗତ ଛାତ୍ରଛାତ୍ରୀଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କିଟ୍ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, କିଟ୍ ପଲିଟେକନିକ ହେଉଛି କିଟର ପ୍ରଥମ ଶିକ୍ଷାନୁଷ୍ଠାନ, ଯାହା ଗତ ତିନି ଦଶକ ଧରି ଶିକ୍ଷା ଓ କୌଶଳ ବିକାଶ କ୍ଷେତ୍ରରେ ସଫଳତାର ସହ ଆଗକୁ ବଢ଼ି ଆସିଛି । ବର୍ତ୍ତମାନ ସମୟ କେବଳ ଡିଗ୍ରୀ କିମ୍ବା ନମ୍ବରର ନୁହେଁ, ବରଂ ଜ୍ଞାନ, ଦକ୍ଷତା, ଯୋଗାଯୋଗ କୌଶଳ ଏବଂ ବ୍ୟକ୍ତିତ୍ୱ ବିକାଶର ସମୟ । ଆଜିର ପ୍ରତିଯୋଗିତାମୂଳକ ଦୁନିଆରେ ଆପଣ କେତେ ଦକ୍ଷ ତାହା ହିଁ ସଫଳତାର ପ୍ରମୁଖ ମାପକାଠି ବୋଲି ସେ କହିଥିଲେ । ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ସହିତ ଅତି କମରେ ଗୋଟିଏ କିମ୍ବା ଦୁଇଟି ବିଶେଷ ଦକ୍ଷତା ହାସଲ କରିବାକୁ ଡ. ସାମନ୍ତ ପରାମର୍ଶ ଦେଇଥିଲେ ।
କିଟ୍ ପରିସରରେ ଗଢ଼ିଉଠୁଥିବା ବିଶ୍ୱସ୍ତରୀୟ ସ୍କିଲ୍ ସେଣ୍ଟର, ଅତ୍ୟାଧୁନିକ ଲ୍ୟାବ୍ ଏବଂ ଶିଳ୍ପାନୁଷ୍ଠାନ ସହ ସଂଯୋଗ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ ବୋଲି ସେ କହିଥିଲେ । ଜୀବନରେ ସଫଳତାର ମୂଳମନ୍ତ୍ର ହେଉଛି ଶୃଙ୍ଖଳା । ଯାହାଙ୍କ ଜୀବନରେ ଶୃଙ୍ଖଳା ନାହିଁ, ସେମାନଙ୍କ ପାଇଁ ସଫଳତା ହାସଲ କରିବା କଷ୍ଟକର । କିଟ୍ ର ସଫଳତା ପଛରେ ମଧ୍ୟ ଶୃଙ୍ଖଳା, ମାନବିକତା ଏବଂ କଠିନ ପରିଶ୍ରମ ମୁଖ୍ୟ କାରଣ ବୋଲି କିଟ୍ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ନବାଗତ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିସ୍ ସମ୍ପାଦକ ଆର.ଏନ୍ ଦାଶ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ତଥା ଉପକୁଳପତି ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍ ସ୍କିଲ୍ ଅତିରିକ୍ତ ନିର୍ଦ୍ଦେଶକ ଡ. ହୃଷୀକେଶ ମହାନ୍ତି, କିଟ୍ ପଲିଟେକନିକ ଅଧ୍ୟକ୍ଷ ଡ. ଭରତ ଚନ୍ଦ୍ର ରାଉତରାୟ, ଉପାଧ୍ୟକ୍ଷ ଡ. ସୁକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।