ଦିଲ୍ଲୀରେ ନିତିନଙ୍କ ନୂତନ ଟିମର ବଡ଼ ବୈଠକ

ନୂଆଦିଲ୍ଲୀ, ୨୨/୦୮ : ଆଜି ଭାରତୀୟ ଜନତା ପାର୍ଟୀ ନବନିଯୁକ୍ତ ପଦାଧିକାରୀଙ୍କ ବଡ଼ ବୈଠକ ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ରୀୟ ପଦାଧିକାରୀ ଏବଂ ରାଜ୍ୟ ଅଧ୍ୟକ୍ଷଙ୍କ ସହିତ ଆଜି ତିନୋଟି ବୈଠକ ଅନୁଷ୍ଠିତ ହେବ । ଏହି କ୍ରମରେ ପ୍ରଥମa ବୈଠକ ଆରମ୍ଭ ହୋଇଛି । ଅଧ୍ୟକ୍ଷା ଦାୟିତ୍ୱ ସମ୍ଭାଳିବା ପରେ ନିତିନଙ୍କ ନବନିଯୁକ୍ତ ପଦାଧିକାରୀଙ୍କ ସହିତ ଏହା ପ୍ରଥମ ଔପଚାରିକ ବୈଠକ ଅଟେ । ନିତିନ ଆଜି ତିନୋଟି ମାରାଥନ୍ ବୈଠକ କରିବେ । ପ୍ରଥମ ପର୍ଯ୍ୟାୟ ବୈଠକରେ ନବନିଯୁକ୍ତ ପାଇଥିବା ଜାତୀୟ ସ୍ତରର ପଦାଧିକାରୀମାନଙ୍କର ପରିଚୟ କରାଯାଉଥିବା ଜଣାପଡ଼ିଛି । ବୈଠକରେ ସମସ୍ତ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ସମେତ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଅଛନ୍ତି । ଦଳର ଆଗାମୀ କାର୍ଯ୍ୟପନ୍ଥା, ରଣନୀତି ଏବଂ ସାଙ୍ଗଠନିକ ସ୍ଥିତି ନେଇ ମାନସମନ୍ଥନ ହେବ ।

ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ “ମୋଦୀ@୨୫” ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ମୁଖ୍ୟମନ୍ତ୍ରୀ ପଦ ଏବଂ ପ୍ରଧାନମନ୍ତ୍ରୀ ପଦରେ ରହିବାର ୨୫ ବର୍ଷ ପୂରଣ କରିବାକୁ ଯାଉଛନ୍ତି । ସେଥିପାଇଁ କାର୍ଯ୍ୟକ୍ରମର ନାମକରଣ ଏପରି କରାଯାଇଛି । ବୈଠକରେ ଦେଶବ୍ୟାପୀ ହେବାକୁ ଥିବା କାର୍ଯ୍ୟକ୍ରମ, ରୂପରେଖ ଏବଂ ଶୋଭାଯାତ୍ରା ଭଳି ଯୋଜନା ଉପରେ ଆଲୋଚନା ହେବାର ରହିଛି । ସନ୍ଧ୍ୟା ୬ ଟାରେ ହେବାକୁ ତୃତୀୟ ବୈଠକରେ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଏବଂ ରାଜ୍ୟ ସଭାପତିମାନେ ଯୋଗ ଦେବେ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ସଭାକୁ ସମ୍ବୋଧିତ କରିବେ । ବୈଠକରେ ଆଗାମୀ କାର୍ଯ୍ୟପନ୍ଥା, ସାଙ୍ଗଠନିକ ରଣନୀତି ଏବଂ ନିର୍ବାଚନ ପ୍ରସ୍ତୁତ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇ ପାରେ ବୋଲି ଅନୁମାନ କରାଯାଉଛି ।