ସାଥୀ ହୋଇ ଆରପାରିକୁ ଚାଲିଗଲେ ଶତାୟୁ ଦମ୍ପତି

ରାଇରଙ୍ଗପୁର : ସମ୍ପ୍ରତି ଦାମ୍ପତ୍ୟ ଜୀବନରେ ପାରିବାରିକ କଳନ, ମନୋମାଳିନ୍ୟ ଜନିତ ବିବାହ ବିଚ୍ଛେଦ, ହିଂସା, ଆତ୍ମହତ୍ୟା ଆଦିର ସଂଖ୍ୟା ବୃଦ୍ଧିପାଉଥିବା ବେଳେ ରାଇରଙ୍ଗପୁରର ଏକ ଶତାୟୁ ଦମ୍ପତିଙ୍କ ୮୦ ବର୍ଷ ଧରି ସ୍ନେହପୂର୍ଣ୍ଣ ଜୀବନ ଓ‌ ଗୋଟିଏ ଦିନରେ ସାଥୀ ହୋଇ ଇହଧାନ ତ୍ୟାଗ କରିବା ଘଟଣା ନିଶ୍ଚିତ ଭାବେ ଏକ ଆଶାର ଆଲୋକ ଅଟେ।

ରାଇରଙ୍ଗପୁର ପୌରପରିଷଦର ୮ ନଂ ୱାର୍ଡ ପୁରୁଣାଘାଟିର ବିଶମ୍ବର ମହାନ୍ତ (୧୦୪) ଓ ପତ୍ନୀ ପଦ୍ମିନୀ ମହାନ୍ତ (୧୦୧ )। ୮୦ ବର୍ଷରୁ ଅଧିକ କାଳ ଏକାଠି ସଂସାର କରିଥିଲେ। ଆଜି ପ୍ରଥମେ ପତ୍ନୀ ପଦ୍ମିନୀଙ୍କ ଦେହାନ୍ତ ଘଟିଥିଲା। ଏହାର କିଛି ଘଣ୍ଟା ମଧ୍ୟରେ ସ୍ୱାମୀ ବିଶମ୍ବର ମହାନ୍ତ ମଧ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଏକାଠି ରହିବାର ଶପଥ ନେଇ ଥିଲେ। ଦୈବ ମଧ୍ୟ ସେମାନଙ୍କ ଇଚ୍ଛା ଯେପରି ପୂରଣ କରିଛି। ଆଜି ଦୁହିଁଙ୍କ ଶବକୁ ରାଇରଙ୍ଗପୁରସ୍ଥ ଖଡଖାଇ ନଦୀ କୂଳସ୍ଥ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏକା ଜୁଇରେ ଦୁଇ ଶବ ଦେଖି ସ୍ଥାନୀୟ ଲୋକଙ୍କ ଆଖିରୁ ଲୁହ ଝରି ଯାଇଥିଲା।

ମୃତ୍ୟୁ ଶଯ୍ୟା ନିକଟରେ ପୁଅ ନରେଶ ମହାନ୍ତ, ବୋହୂ ରଙ୍ଗଲତା ମହାନ୍ତ, ଝିଅ ଅଞ୍ଜନା ମହାନ୍ତ, ସାରଧାମଣି ମହାନ୍ତ, ଜ୍ୱାଇଁ ମହେଶ୍ୱର ମହାନ୍ତ, ବୋହୂ କବିତା ମହାନ୍ତ, ନାତି ଦୟାନିଧି ମହାନ୍ତ ଏବଂ ନାତୁଣୀ ପୂଜାରାଣୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।