ନେପାଳରେ ଫସିଛନ୍ତି ଅନେକ ଭାରତୀୟ,ଜାରି ହେଲା ହେଲ୍ପଲାଇନ୍ ନମ୍ବର

ନୂଆଦିଲ୍ଲୀ, ୦୧/୦୯ : ନେପାଳ ଇତିହାସରେ ୨୬ ଅଗଷ୍ଟ କଳା ଅକ୍ଷରରେ ଲିପିବଦ୍ଧ ହେବ । ନେପାଳର ଅନେକ ସୁନ୍ଦର ସୁନ୍ଦର ସ୍ଥାନ ଯେପରିକି ଭୋଟେକୋଶୀ, ତ୍ରିଶୂଳୀ ଏବଂ ରସୁୱା ଅଞ୍ଚଳରେ ହଠାତ୍ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଏବେ ପୂରା ଅଞ୍ଚଳକୁ ଶ୍ରୀହୀନ କରିଦେଇଛି । ଅନେକ ଧନସମ୍ପତ୍ତି ନଷ୍ଟ ହେବା ସହିତ ଜୀବନହାନି ମଧ୍ୟ ଘଟିଛି । ନଦୀରେ ହଠାତ୍ ଜଳସ୍ତର ବଢ଼ିବା ଯୋଗୁଁ ଅନେକ ହାଇଡ୍ରୋପାୱାର ପ୍ରକଳ୍ପ, ସେତୁ, ରାସ୍ତାଘାଟ ଏବଂ ବାସଗୃହ ସମ୍ପୂର୍ଣ୍ଣ ଭାସିଯାଇଛି । ପ୍ରକୃତିର ଏହି କରାଳ ପ୍ରକୋପରେ ଶତାଧିକ ଲୋକ ନିଖୋଜ ହୋଇଯାଇଥିବା ବେଳେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବନ୍ୟା ଅଞ୍ଚଳରେ ଅନେକ ପର୍ଯ୍ୟଟକ ଓ ଶ୍ରମିକ ବିଭିନ୍ନ ଟନେଲ୍‌ ଏବଂ ଦୁର୍ଗମ ସ୍ଥାନରେ ଫସି ରହିଥିବା ଜଣାପଡ଼ିଛି।

ଏହି ପ୍ରାକୃତିକ ବିପତ୍ତିରେ ବହୁସଂଖ୍ୟକ ଭାରତୀୟ ନାଗରିକ ଏବଂ ପର୍ଯ୍ୟଟକ ଫସି ରହିଥିବାରୁ ସେମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ ସରକାର ଓ ନେପାଳସ୍ଥିତ ଭାରତୀୟ ଦୂତାବାସ ତୁରନ୍ତ ତତ୍ପରତା ପ୍ରକାଶ କରିଛନ୍ତି । ଦୂତାବାସ ପକ୍ଷରୁ ଭାରତୀୟ ନାଗରିକ ଓ ସେମାନଙ୍କ ପରିବାର ପାଇଁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର (+977 9851316807 ଏବଂ +977 9709107500) ଜାରି କରାଯାଇଛି। ଏହା ସହିତ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ରାଜସ୍ଥାନ ଭଳି ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଆପାତ୍ତକାଳୀନ ନିୟନ୍ତ୍ରଣ କକ୍ଷ ଓ ହେଲ୍ପଲାଇନ୍ ସକ୍ରିୟ କରି ନିଜ ନିଜ ରାଜ୍ୟର ଫସିଥିବା ନାଗରିକଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି। ସଙ୍କଟ ସମୟରେ ପଡ଼ୋଶୀ ଧର୍ମ ପାଳନ କରି ଭାରତ ନେପାଳକୁ ସମସ୍ତ ପ୍ରକାରର ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ କର୍ତ୍ତୃପକ୍ଷଙ୍କ ସହ କଥା ହୋଇ ସମବେଦନା ଜଣାଇବା ସହ ସମସ୍ତ ସାହାଯ୍ୟର ଆଶ୍ୱାସନା ଦେଇଛନ୍ତି। ତୁରନ୍ତ ସଂଯୋଗୀକରଣ ପୁନରୁଦ୍ଧାର ପାଇଁ ‘ବେଲି ବ୍ରିଜ୍’ ନିର୍ମାଣ ଓ ରିଲିଫ୍ ସାମଗ୍ରୀ ପ୍ରେରଣ ପାଇଁ ପ୍ରସ୍ତୁତି କରାଯାଇଛି । ଏହାବ୍ୟତିତ ଟନେଲଗୁଡ଼ିକରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ବିଶେଷଜ୍ଞ ଓ ଚିକିତ୍ସା ଦଳ ମଧ୍ୟ ନେପାଳରେ ପହଞ୍ଚିଛନ୍ତି।

ବର୍ତ୍ତମାନ ନେପାଳ ସେନା, ସଶସ୍ତ୍ର ପୁଲିସ ବାହିନୀ ଏବଂ ଭାରତୀୟ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି । ଖରାପ ପାଗ ଏବଂ ଚାରିଆଡ଼େ ପଚପଚ କାଦୁଅ ଯୋଗୁଁ ପ୍ରତିବନ୍ଧକ ସୃଷ୍ଟି ହେଉଥିଲେ ହେଁ ବିପନ୍ନମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଭାରତ ଏବଂ ନେପାଳର ଏହି ମିଳିତ ଉଦ୍ୟମ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୁଇ ଦେଶ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଓ ମାନବିକତାର ଏକ ବଡ଼ ଉଦାହରଣ ପ୍ରସ୍ତୁତ କରିଛି ।