ନୂଆଦିଲ୍ଲୀ, ୨୪/୦୯ : ଝାଡ଼ଖଣ୍ଡର ଜାମସେଦପୁର ଦୋମୁହାନୀ ଅଞ୍ଚଳରେ ଭୟାବହ ସଡ଼କ ଦୁର୍ଘଟଣା । ଏକ କାରକୁ ଟ୍ରକ ଜୋରଦାର ଧକ୍କା ଦେବାରୁ ୪ ଜଣଙ୍କ ଜୀବନ ଚାଲିଯାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଝାଡ଼ଖଣ୍ଡ ସରକାରଙ୍କ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଦୀପିକା ପାଣ୍ଡେୟ ସିଂହଙ୍କ ଝିଅଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରର ଉପର ସଂପୂର୍ଣ୍ଣ ଭାବେ ଉଡ଼ିଯାଇଥିଲା । ଆଜି ଭୋର ପ୍ରାୟ ୨ଟା ୩୦ରୁ ୩ଟା ମଧ୍ୟରେ ସୋନାରୀ ଥାନା ଅଞ୍ଚଳର ମେରାଇନ୍ ଡ୍ରାଇଭରେ ରାସ୍ତା କଡ଼ରେ ପୂର୍ବରୁ ଖରାପ ହୋଇ ଠିଆ ହୋଇଥିବା ଏକ ଟ୍ରେଲର୍ ପଛରେ ଏକ ଦ୍ରୁତଗତି କାର୍ ନିୟନ୍ତ୍ରଣ ହରାଇ ଧକ୍କା ଦେଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ କାରର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇ ଟ୍ରେଲର୍ ପଛରେ ଫସିଯାଇଥିଲା । କାର୍ ଭିତରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଉଦ୍ଧାରକାରୀ ଦଳ ଗ୍ୟାସ୍ କଟର୍ ବ୍ୟବହାର କରି କାର୍ କାଟି ମୃତଦେହଗୁଡ଼ିକୁ ବାହାର କରିଥିଲେ ।
ତେବେ ମୃତକଙ୍କ ମଧ୍ୟରେ ଦୀପିକା ପାଣ୍ଡେୟ ସିଂହଙ୍କ ଝିଅ ତୃଷା ସିଂହଙ୍କ ସହ ସାର୍ଥକ ଅଗ୍ରୱାଲ, ନମନ ଗୁପ୍ତା ଏବଂ ବଂଶିକା ଖଣ୍ଡେଲୱାଲ ରହିଛନ୍ତି । ମୃତକଙ୍କ ପରିବାରକୁ ପୋଲିସ ଘଟଣା ସମ୍ପର୍କରେ ସୂଚନା ଦେଇଛି । ଟ୍ରେଲରଟି ବୁଧବାର ରାତି ପ୍ରାୟ ୧୦ଟାରୁ ଖରାପ ହୋଇ ରାସ୍ତାକଡ଼ରେ ଠିଆ ହୋଇଥିଲା । ଭୋର ସମୟରେ ଦ୍ରୁତଗତିରେ ଆସୁଥିବା କାର୍ଟି ନିୟନ୍ତ୍ରଣ ହରାଇ ଟ୍ରେଲର୍ ପଛରେ ଧକ୍କା ଦେଇଥିଲା । ଦୁର୍ଘଟଣାର ପ୍ରକୃତ କାରଣ ଏବଂ କାର୍ର ଗତି ସମ୍ପର୍କରେ ପୋଲିସ ତଦନ୍ତ କରୁଛି । ଜାମସେଦପୁର ଦୁର୍ଘଟଣାକୁ ନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶୋକ ପ୍ରକାଶ କରିଛନ୍ତି । ସେ ସୋସିଆଲ୍ ମିଡିଆରେ ମନ୍ତ୍ରୀ ଦୀପିକା ପାଣ୍ଡେୟ ସିଂହଙ୍କ ଝିଅ ଏବଂ ଅନ୍ୟ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ନିଜ ସନ୍ତାନକୁ ହରାଇବାର ଦୁଃଖ ଯେକୌଣସି ମାତାପିତାଙ୍କ ପାଇଁ ଅସହନୀୟ, ମୋର ସମବେଦନା ଶୋକସନ୍ତପ୍ତ ପରିବାରଗୁଡ଼ିକ ସହ ରହିଛି ।