ଭୁବନେଶ୍ୱର, ୨୮/୦୯ : ୨୦ତମ ଏସୀୟ କ୍ରୀଡ଼ାରେ ୧୧ରେ ପହଞ୍ଚିଲା KIIT ବିଶ୍ୱବିଦ୍ୟାଳୟ ପଦକ ସଂଖ୍ୟା। ୨୦ତମ ଏସୀୟ କ୍ରୀଡ଼ା, ଏଚି-ନାଗୋୟା ୨୦୨୬ରେ KIIT ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାରତ ପାଇଁ ଉଲ୍ଲେଖନୀୟ ସଫଳତା ଆଣିଛନ୍ତି। ୫ଟି ପଦକ-୨ଟି ରୌପ୍ୟ ଓ ୩ଟି କାଂସ୍ୟ ସହ ଜିତିବା ସହ ଏସୀୟ କ୍ରୀଡ଼ାରେ KIITର ମୋଟ ପଦକ ସଂଖ୍ୟା ୧୧ରେ ପହଞ୍ଚିଛି। ବିଭିନ୍ନ କ୍ରୀଡ଼ା ବିଭାଗରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା KIITର ୫୪ ଜଣ ଛାତ୍ରଛାତ୍ରୀ ଏହି ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ନିଜ ପ୍ରତିଭାର ପରିଚୟ ଦେଉଛନ୍ତି। ନୂଆ ପଦକ ସଫଳତା ଭାରତର ପଦକ ଅଭିଯାନରେ KIITର ଅବଦାନକୁ ଆହୁରି ମଜବୁତ କରିଛି। ଦିନର ସବୁଠାରୁ ବଡ଼ ଉପଲବ୍ଧି ଆସିଛି ମହିଳା ଲଙ୍ଗ ଜମ୍ପରୁ। ଆନ୍ସି ସୋଜନ ଲଙ୍ଗ ଜମ୍ପରେ ୬.୫୩ ମିଟର ଜମ୍ପ କରି ରୌପ୍ୟ ପଦକ ହାସଲ କରିଛନ୍ତି।
ଏହି ସଫଳତା ସହ କିମ୍ବଦନ୍ତୀ ଆଥଲେଟ୍ ଅଞ୍ଜୁ ବବି ଜର୍ଜଙ୍କ ପରେ ଏସୀୟ କ୍ରୀଡ଼ାରେ ମହିଳା ଲଙ୍ଗ ଜମ୍ପରେ କ୍ରମାଗତ ଦୁଇଟି ପଦକ ଜିତିବାରେ ଆନ୍ସି ସୋଜନ ଦ୍ବିତୀୟ ମହିଳା ହୋଇଛନ୍ତି। ସେହିପରି ହରିତା ଭଦ୍ରା ୨ଶହ ମିଟର ଦୌଡ଼ରେ ବ୍ରୋଞ୍ଜ, ପାରୁଲ ଚୌଧୁରୀ ୩ ହଜାର ମିଟର ଷ୍ଟିପଲଚେଜରେ ବ୍ରୋଞ୍ଜ, ତେଜସ୍ବୀନ ଶଙ୍କର ଡେକାଥଲନରେ ବ୍ରୋଞ୍ଜ ଏବଂ ସର୍ଭେସ କୁଶାରେ ପୁରୁଷ ହାଇ ଜମ୍ପରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସର୍ଭେସ ୨.୨୫ ମିଟର ଜମ୍ପ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏସୀୟ କ୍ରୀଡ଼ାରେ ନିଜର ଦକ୍ଷତା ସହ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପଦକ ବିଜୟୀ କିଟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଟ, କିସ ଓ କିମସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। କ୍ରୀଡ଼ାବିତଙ୍କ ଉଲ୍ଲେଖନୀୟ ସଫଳତା ହାସଲ ନେଇ ଖୁସି ବ୍ୟକ୍ତ କରିବା ସହ ଏହି ଧାରାକୁ ଜାରି ରଖି ଆଗକୁ ବି ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶା ରଖିଛନ୍ତି ଡ. ସାମନ୍ତ।