ଭୁବନେଶ୍ୱର, ୦୫/୧୦ : ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମ ପଞ୍ଚାୟତରେ ଏକ ଅଭାବନୀୟ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଚାଲିଥିବା ଜନସମ୍ପର୍କ ପଦଯାତ୍ରା ସମୟରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାକୁ ନେଇ ପ୍ରଣବ ବଳବନ୍ତରାୟ ସିଧାସଳଖ ସ୍ଥାନୀୟ ବିଧାୟକଙ୍କୁ ଦାୟୀ କରିବା ସହ ଯାଜପୁର ଏସ୍ପିଙ୍କୁ ଭେଟି ଏକ ଲିଖିତ ଅଭିଯୋଗ କରିଛନ୍ତି। ଗଡ଼ମଧୁପୁର ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ପାଇଁ ଦଳୀୟ କର୍ମୀଙ୍କ ସହ ଗାଁକୁ ଗାଁ ବୁଲୁଥିଲେ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ। ଠିକ୍ ଏହି ସମୟରେ କିଛି ଦୁର୍ବୃତ୍ତ ହଠାତ୍ ଆକ୍ରମଣ କରିବା ସହ ତାଙ୍କ ଗାଡ଼ି ଉପରକୁ ପଥର ଓ ଟେକା ମାଡ଼ କରିଥିଲେ। ଦିନ ପ୍ରାୟ ୩ଟା ସମୟରେ ଘଟିଥିବା ଏହି ହିଂସାକାଣ୍ଡରେ ପ୍ରଣବଙ୍କ ଗାଡ଼ି ସମେତ ମୋଟ ୩ଟି ଯାନବାହନ ବହୁତ କ୍ଷତିଗ୍ରସ୍ତ ହୋଇଛି। ସବୁଠୁ ବଡ଼ କଥା ହେଲା, ପୋଲିସ ଉପସ୍ଥିତିରେ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ମରଣାନ୍ତକ ଆକ୍ରମଣ ପଛରେ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମ୍ପୃକ୍ତି ରହିଛି ବୋଲି ପ୍ରଣବ ବଳବନ୍ତରାୟ ଗଣମାଧ୍ୟମ ଆଗରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହା ଏକ ପୂର୍ବନିର୍ଦ୍ଧାରିତ ଏବଂ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ଆକ୍ରମଣ ବୋଲି ସେ ଅଭିଯୋଗ କରିଛନ୍ତି। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଜଗଦୀଶ ଜେନାମଣିଙ୍କ ବାସଭବନକୁ ଯାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ମଧ୍ୟ କୁହାଯାଇଛି। ଘଟଣାର ପ୍ରମାଣ ସ୍ଵରୂପ ସିସିଟିଭି ଫୁଟେଜ୍, ମୋବାଇଲ୍ ଭିଡିଓ, ଫଟୋଗ୍ରାଫ୍ ଏବଂ ପୋଲିସ ରେକର୍ଡଗୁଡ଼ିକୁ ଜବତ କରି ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।