ଭୁବନେଶ୍ୱର, ୨୩/୧୧ : ଗଞ୍ଜାମରେ ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ରିଲିଫ୍, କ୍ଷତିପୂରଣ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା । ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଞ୍ଜାମ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି, କ୍ଷୟକ୍ଷତି ଆକଳନ, ରିଲିଫ୍ ବଣ୍ଟନ, କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଗଞ୍ଜାମ ଗସ୍ତ କରିଛନ୍ତି।
ଗଞ୍ଜାମ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ଓ ବନ୍ୟା ପରବର୍ତ୍ତୀ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା ହୋଇଛି। ବାତ୍ୟା ‘ଅର୍ଣ୍ଣବ’ ପରେ ଗଞ୍ଜାମରେ ଭୟଙ୍କର ବନ୍ୟା । ଗତ ଅକ୍ଟୋବର ଶେଷ ସପ୍ତାହରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ଲଗାଣ ବର୍ଷା ଫଳରେ ଋଷିକୁଲ୍ୟା ଓ ବଡ଼ନଦୀର ଜଳସ୍ତର ବୃଦ୍ଧି ପାଇ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ବିଶେଷକରି ଆସିକା, ସୋରଡ଼ା, ଭଞ୍ଜନଗର ସମେତ ଜିଲ୍ଲାର ଅନେକ ଅଞ୍ଚଳ ବନ୍ୟାରେ ଗୁରୁତର ପ୍ରଭାବିତ ହୋଇଥିଲା। ଅନେକ ଗାଁ ଓ ଜନବସତିରେ ବନ୍ୟାଜଳ ପ୍ରବେଶ କରିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ଘରଦ୍ୱାର, ରାସ୍ତାଘାଟ, ନଦୀବନ୍ଧ ଓ ଜଳସେଚନ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ ଚାଷୀ।
ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା ସହ ଅନେକ ସ୍ଥାନରେ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଥିଲା। ଦୀର୍ଘ ସମୟ ଧରି ଜମିରେ ପାଣି ଜମି ରହିବାରୁ ଚାଷୀଙ୍କୁ ବ୍ୟାପକ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା। ଆଜିର ସମୀକ୍ଷା ବୈଠକରେ ବନ୍ୟା ପ୍ରଭାବିତ ଚାଷୀଙ୍କ କ୍ଷୟକ୍ଷତି ଆକଳନ ଏବଂ ସହାୟତା ପ୍ରଦାନ ପ୍ରକ୍ରିୟା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଏହା ସହିତ କ୍ଷତିଗ୍ରସ୍ତ ପରିବାରଙ୍କୁ ରିଲିଫ୍ ଓ ପୁନର୍ବାସ ସହାୟତା, ଭାଙ୍ଗିଯାଇଥିବା ରାସ୍ତାଘାଟର ମରାମତି, ନଦୀବନ୍ଧ ସୁଦୃଢ଼ୀକରଣ ଏବଂ କ୍ଷତିଗ୍ରସ୍ତ ଜଳସେଚନ ବ୍ୟବସ୍ଥାର ପୁନରୁଦ୍ଧାର ନେଇ ଆଲୋଚନା ହୋଇଛି। ବନ୍ୟା ପରେ ବିଭିନ୍ନ ଅଞ୍ଚଳରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ପଦକ୍ଷେପ ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଛି।
ବାତ୍ୟା ଓ ବନ୍ୟାର ଦୀର୍ଘସ୍ଥାୟୀ ପ୍ରଭାବରୁ ଗଞ୍ଜାମ ଜିଲ୍ଲା ଏବେ ବି ସମ୍ପୂର୍ଣ୍ଣ ମୁକୁଳି ପାରିନାହିଁ। ଅନେକ ଚାଷୀ ଓ କ୍ଷତିଗ୍ରସ୍ତ ପରିବାର ସରକାରୀ ସହାୟତା ଓ କ୍ଷତିପୂରଣକୁ ଅପେକ୍ଷା କରିଛନ୍ତି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଓ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବିଶେଷ ଗୁରୁତ୍ୱ ବହନ କରୁଛି। ଏବେ କ୍ଷୟକ୍ଷତିର ସଠିକ୍ ଆକଳନ, ପ୍ରଭାବିତ ଲୋକଙ୍କୁ ସମୟୋଚିତ ସହାୟତା ଏବଂ କ୍ଷତିଗ୍ରସ୍ତ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର ଉପରେ ଗଞ୍ଜାମବାସୀଙ୍କ ନଜର ରହିଛି।