ଲଦାଖ,୯/୬: ପୂର୍ବ ଲଦାଖରେ ଭାରତ ଓ ଚୀନ ସୀମା ନିକଟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଧିରେ ଧିରେ ପ୍ରଶମିତ ହେଉଛି । ଉତ୍ତେଜନାସ୍ଥଳରୁ ଉଭୟ ଦେଶ ନିଜ ନିଜ ସେନାବାହିନୀକୁ ପଛକୁ ଫେରାଇ ନେଉଥିବା ଜଣାପଡିଛି । ଏହା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଉପରେ ଚାପ ହ୍ରାସ କରିବାର ଏକ ସୂଚକ ଭାବରେ ବିବେଚନା କରାଯାଉଛି | ପୂର୍ବ ଲଦାଖର ଅନେକ ଅଞ୍ଚଳରେ ଉଭୟ ଦେଶର ସୈନ୍ୟବାହିନୀ ପୂର୍ବ ସ୍ଥିତିକୁ ଫେରୁଛନ୍ତି। ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ତିକ୍ତତା ଧିରେ ଧିରେ ଥମୁଥିବା ଦେଖାଯାଉଛି । ଏହି ସପ୍ତାହରେ ମଧ୍ୟ ଦୁଇ ଦେଶ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନା ହେବାକୁ ଯାଉଛି। ଯଦିଓ ଏହା ପୂର୍ବରୁ ସାମରିକ ସ୍ତରର ଆଲୋଚନା ହୋଇଥିଲା, କିନ୍ତୁ ଏଥିରୁ କୌଣସି ଫଳାଫଳ ବାହାରି ନଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ଦୁଇ ଦେଶ ମଧ୍ୟରେ ସାମରିକ ସ୍ତରର ଆଲୋଚନା ପେଟ୍ରୋଲିଂ ପଏଣ୍ଟ ୧୪, ୧୫ ଏବଂ ଗାଲଭାନ ଅଞ୍ଚଳର ସ୍ପ୍ରିଙ୍ଗ ଅଞ୍ଚଳରେ ଅନୁଷ୍ଠିତ ହେବ। ସୂଚନାନୁସାରେ, ଗାଲଭାନ୍ ଉପତ୍ୟକା, ପିପି -୧୫ ଏବଂ ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳରେ ଚୀନ୍ ସେନା ୨ରୁ ଅଢେଇ କିଲୋମିଟରରୁ ପଛକୁ ଫେରିଛି। ଏହି ସମସ୍ତ ଅଞ୍ଚଳ ଭାରତର ପୂର୍ବ ଲଦାଖରେ ଅବସ୍ଥିତ ଥିବା ଜଣାପଡିଛି |
ଭାରତୀୟ ସେନା ମଧ୍ୟ ଏହି ଅଞ୍ଚଳରେ ପଛକୁ ଫେରିବା ସହ ନିଜର ସାମରିକ ଗାଡି ଗୁଡିକୁ ମଧ୍ୟ ପ୍ରତ୍ୟାହାର କରିନେଇଛି। ସୂଚନାନୁସାରେ, ଏହି ସ୍ଥାନରେ ବାଟାଲିୟନ କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଛି। ଦୁଇ ଦଳର କମାଣ୍ଡୋମାନେ ନିଜ ନିଜ ମଧ୍ୟରେ ହଟଲାଇନରେ କଥା ହୋଇଛନ୍ତି। ଭାରତର ସାମରିକ ଦଳ ମଧ୍ୟ ଚୁସୁଲ ଅଞ୍ଚଳରେ ନିଜ ଦୃଢ ଉପସ୍ଥିତ ଜାହିର କରିଛନ୍ତି। ଯାହା ଦ୍ୱାରା ଚୀନ୍ ଦଳ ବୁଝାମଣା ଉପରକୁ ଆସିଥିବା ନେଇ ଆଲୋଚନା ହେଉଛି ।