ଭାରତରେ ତେଜୁଛି ଚାଇନା ସାମଗ୍ରୀ ବର୍ଜନ ନିଆଁ, ଭୟରେ ଟିଭିରୁ ବିଜ୍ଞାପନ ହଟାଇଲେ ଚୀନ କମ୍ପାନୀ

ନୂଆଦିଲ୍ଲୀ, ୨୧/୬: ଲଦାଖ ସୀମାରେ ଉପୁଜିଥିବା ବିବାଦ ପରେ ଭାରତ ଓ ଚୀନ ମଧ୍ୟରେ ଚିକ୍ତତା ବୃଦ୍ଧି ପାଇଛି । ଦୁଇ ଦେଶ ମଧ୍ୟରେ ମଧ୍ୟରେ ଯୁଦ୍ଧ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଭାରତରେ କାରବାର କରୁଥିବା ଚାଇନିଜ୍‌ ସ୍ମାର୍ଟଫୋନ୍‌ ଏବଂ ଇଲେକ୍‌ଟ୍ରୋନିକ୍ସ କମ୍ପାନୀଗୁଡିକ ଏବେ ଭୟଭୀତ ହୋଇଗଲେଣି । ସୀମା ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ଚୀନ୍‌ର ସ୍ମାର୍ଟଫୋନ୍‌ ଏବଂ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଭାରତରେ ସେମାନଙ୍କ ମାର୍କେଟିଂ କାର୍ଯ୍ୟକ୍ରମ ଏବଂ ବିଜ୍ଞାପନ ପ୍ରସାରଣକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବେ ଭାରତରେ ଚୀନ୍‌ ସାମଗ୍ରୀ ବର୍ଜନ ଅଭିଯାନ ଜୋର ଧରିଥିବାବେଳେ କୌଣସି ପ୍ରକାର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ପରିସ୍ଥିତିକୁ ବିଗାଡିପାରେ ବୋଲି ଚାଇନା କମ୍ପାନୀ ଆଶଙ୍କା କରୁଛନ୍ତି ।

ଶିଳ୍ପ କ୍ଷେତ୍ର ସହ ଜଡ଼ିତ ୪ ଜଣ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସାଓମି, ଭିଭୋ, ଓପୋ, ୱାନ୍‌ ପ୍ଲସ, ଟିସିଏଲ୍‌ ଏବଂ ଆଉ କେତେକ କମ୍ପାନି ଅନ୍ୟୁନ ୧୦ ଦିନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପରିସ୍ଥିତି ସ୍ୱାଭାବିକ ହେବା ପରେ ସେମାନେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ । ଚୀନ୍‌ର ଏହି କମ୍ପାନିଗୁଡିକ ଟେଲିଭିଜନ୍‌ରୁ ବିଜ୍ଞାପନ ପ୍ରସାରଣକୁ ପ୍ରତ୍ୟାହାର କରିଛନ୍ତି । ସେମାନଙ୍କୁ ଏତେ ମାତ୍ରାରେ ଭୟ ଘାରିଛି ଯେ ବିଲ୍‌ବୋର୍ଡ, ଟ୍ରାଫିକ୍‌ ସିଗ୍‌ନାଲ ଏବଂ ଲ୍ୟାମ୍ପ ପୋଷ୍ଟ ଆଦିରୁ ବିଜ୍ଞାପନ ହଟାଇ ଦେଇଛନ୍ତି । ଭାରତୀୟ ସେଲିବ୍ରିଟିମାନଙ୍କୁ ନେଇ ଡିଜିଟାଲ ତଥା ସୋସିଆଲ ମିଡିଆ ଏବଂ ଇ-କମର୍ସ ସାଇଟ୍‌ରେ ପ୍ରସାରିତ ହେଉଥିବା କ୍ୟାମ୍ପେନ୍‌ଗୁଡିକୁ ବନ୍ଦ କରିଛନ୍ତି ଚୀନ୍‌ କମ୍ପାନୀ । ଟ୍ୱିଟର ଏବଂ ଇନ୍‌ଷ୍ଟାଗ୍ରାମରେ ଚୀନ୍‌ କମ୍ପାନି ଏବଂ ସେମାନଙ୍କ ପ୍ରମୁଖ ଅଧିକାରୀମାନେ ପ୍ରଚାର ବନ୍ଦ କରିଛନ୍ତି ।