ଭୁବନେଶ୍ୱର,୨୧/୬: ଜୁନ୍ ୨୩ରେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ପିପିଲିକୁ ଗଡ଼ିବ ମୋ ବସ୍ । ଏହି ରୁଟ୍ର ବ୍ୟବଧାନ ୨୪.୮ କି.ମି. । ପୂର୍ବରୁ ପିପିଲିକୁ ସିଟି ବସ ଚଲାଇବା ନିମନ୍ତେ ସ୍ଥାନୀୟ ଲୋକମାନେ ଦାବି କରିଆସିଛନ୍ତି । ଏହି ଅନୁରୋଧକୁ ରକ୍ଷାକରିବାକୁ ଯାଇ ଓ ଜନସାଧାରଣଙ୍କ ଯାତାୟତର ସୁବିଧା ପାଇଁ ଏହି ରୁଟରେ ମୋ ବସ ସେବା ଆରମ୍ଭ କରିବାକୁ ସ୍ଥିର କଲୁ ବୋଲି କହିଛନ୍ତି ପ୍ରବନ୍ଧକ ଦିପ୍ତି ମହାପାତ୍ର ।
ସର୍ବମୋଟ ୪ଟି ବସ ପ୍ରତ୍ୟେକ ଦିନ ୩୩ଟି ବସଷ୍ଟପ୍ ମଧ୍ୟ ଦେଇ ଯାତ୍ରା କରିବ । ପ୍ରଥମ ବସ ଭୁବନେଶ୍ୱର ରେଳ ଷ୍ଟେସନରୁ ସକାଳ ୭ଟାରେ ବାହାରିବ ଓ ଶେଷ ବସ୍ ସଂଧ୍ୟା ୫.୫୦ ରେ ପିପିଲି ଅଭିମୁଖେ ଯାତ୍ରା କରିବ । ଠିକ୍ ସେହିପରି ପିପିଲିରୁ ପ୍ରଥମ ବସ୍ ସକାଳ ୭.୪୫ ଏବଂ ଶେଷ ବସ୍ ସଂଧ୍ୟା ୭ଟାରେ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ବାହାରିବ । ଏହି ଯାତ୍ରା ନିମନ୍ତେ ବସ ଟିକେଟ୍ର ମୂଲ୍ୟ ସର୍ବାଧିକ ୩୦ଟଙ୍କା ରହିଛି । ଏହାସହ ବିନା ମାସ୍କରେ ଓ ଛିଡ଼ାହୋଇ କୌଣସି ଯାତ୍ରୀ ଏହି ବସରେ ଯାତ୍ରା କରିବା ନିଷେଧ କରାଯାଇଛି ।୨୩ ତାରିଖରେ ମାତ୍ର ଗୋଟିଏ ବସ ଚାଲିବ ବୋଲି ଶ୍ରୀମତି ମହାପାତ୍ର ଜଣାଇଛନ୍ତି ।