‘ଟାଇଗର ଅଭି ଜିନ୍ଦା ହେ’ ଉପରେ ସିନ୍ଧିଆଙ୍କୁ ଜବାବ ଦେଲେ ଦିଗବିଜୟ

ନୂଆଦିଲ୍ଲୀ,୩/୭: ‘ଟାଇଗର ଅଭି ଜିନ୍ଦା ହେ’ ଏହି ଟିପ୍ପଣୀକୁ ନେଇ ମଧ୍ୟ ପ୍ରଦେଶରେ ରାଜନୀତି ଜୋର ଧରିଛି। ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଟାଇଗର ଅଭି ଜିନ୍ଦା ହେ ବୟାନ ଉପରେ ଶୁକବାର ପ୍ରତି ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ଜଙ୍ଗଲରେ ଗୋଟିଏ ହିଁ ସିଂହ ରହିଥାଏ। ଏହା ବ୍ୟତୀତ ରାଜ୍ୟସଭା ସଦସ୍ୟ ଦିଗବିଜୟ ସିଂହ ନିଜର ଅତୀତକୁ ମନେ ପକାଇ କହିଛନ୍ତି ଯେ, ଯେବେ ସିଂହଙ୍କ ଶିକାର ପ୍ରତିବନ୍ଧିତ ନଥିଲା, ତେବେ ସେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପିତା ମାଧବରାଓ ସିନ୍ଧିଆଙ୍କ ସହିତ ସିଂହର ଶିକାର କରୁଥିଲେ।

ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମନ୍ତ୍ରି ପରିଷଦ ବିସ୍ତାର କରିବାର ଗୋଟିଏ ଦିନ ପରେ ସିନ୍ଧିଆଙ୍କ ଉପରେ ଆକ୍ଷେପ କରିଛନ୍ତି ଦିଗବିଜୟ ସିଂହ। ଏହି କ୍ୟାବିନେଟ୍‌ରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ସିନ୍ଧିଆଙ୍କ ସମର୍ଥକଙ୍କୁ ପ୍ରାଧ୍ୟାନ୍ୟ ଦିଆଯାଇଛି।

ଉଲ୍ଲେଖନୀୟ ମନ୍ତ୍ରିପରିଷଦର ବିସ୍ତାର ପରେ ଗଣମାଧ୍ୟମ ସହ ଆଲୋଚନା କରି ସିନ୍ଧିଆ କଂଗ୍ରେସ ଉପରେ ନିଜର ଏବଂ ନିଜ ସମର୍ଥକଙ୍କ ଛବି ଖରାପ କରିବାର ଆରୋପ ଲଗାଇ ଗୁରୁବାର କହିଥିଲେ ଯେ, କଂଗ୍ରେସକୁ ମୁଁ ସଂପୂର୍ଣ୍ଣ ଭାବେ ଜବାବ ଦେବି। ଏବେ କେବଳ କମଲନାଥ ଜୀ ଏବଂ ଦିଗବିଜୟ ସିଂହଙ୍କ ପାଇଁ ଏତିକି କହିବାକୁ ଚାହୁଁଛି ଯେ, ‘ଟାଇଗର ଅଭି ଜିନ୍ଦା ହେ’।

ଏହାର ଜବାବରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ କହିଛନ୍ତି, ସମୟ ବଡ ବଳବାନ। ବିଜେପିର ଭବିଷ୍ୟତ କିଏ ଜାଣିଛି। କିଏ ଜାଣେ ଏହି ମନ୍ତ୍ରିପରିଷଦ ବିସ୍ତାରରେ ବିଜେପିର କେତେ ଟାଇଗରକୁ ଜୀବନ୍ତ କରି ଦେଇଛି। ଦେଖି ଚାଲନ୍ତୁ ଆଗକୁ କଣ ହେଉଛି। ସେ କହିଛନ୍ତି ଯେ, ସିଂହର ଗୋଟିଏ ଚରିତ୍ର, ଗୋଟିଏ ଜଙ୍ଗଲରେ କେବଳ ଗୋଟିଏ ସିଂହ ହିଁ ରହିଥାଏ।