ନୂଆଦିଲ୍ଲୀ, ୫/୭ : କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିପୁଳ ଉଦ୍ୟମ ପରେ ବି କରୋନା ଭାଇରସ ନିୟନ୍ତ୍ରଣକୁ ଆସୁନାହିଁ । ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୭୫୫ ଜଣ ସଂକ୍ରମିତ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ସେହିପରି ଏତିକି ସମୟ ମଧ୍ୟରେ ୬୧୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏପର୍ଯ୍ୟନ୍ତ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧୯ ହଜାର ୨୭୯ହୋଇଛି । ୨ ଲକ୍ଷ ୪୪ ହଜାର ୭୪୦ ଜଣ ସକ୍ରିୟ ଥିବା ବେଳେ ୪ ଲକ୍ଷ ୮୬ ହଜାର ୬୨୫ ଜଣ ସୁସ୍ଥ ହୋଇଛନ୍ତି । ଗଣମାଧ୍ୟମର ଏହି ତଥ୍ୟ ଯଦିଓ ସଂପୂର୍ଣ୍ଣ ସତ୍ୟ ନୁହେଁ । ଆଜିର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବୁଲେଟିନ ଆସିବା ପରେ ବିଗତ ୨୪ ଘଣ୍ଟାର ସ୍ଥିତି ସଂପର୍କରେ ଜଣାପଡ଼ିବ । ଶନିବାର ଦେଶର ଅନେକ ରାଜ୍ୟରେ କରୋନା ନୂତନ ରେକର୍ଡ କରିଛି ।
କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ବିଗତ ୨୪ ଘଣ୍ଟା ମଧ୍ୟରେ ୭୦୭୪ ଜଣ ସଂକ୍ରମିତ ଓ ୨୯୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୨ ଲକ୍ଷ ୬୪ ଓ ମୃତ୍ୟୁ ସଂଖ୍ୟା ୮୬୭୧ରେ ପହଂଚିଛି । ମୁମ୍ବାଇରେ ୨୪ ଘଣ୍ଟାରେ ୧୧୮୦ ଜଣ ସଂକ୍ରମିତ ହୋଇଥିବା ବେଳେ ୬୮ ଜଣଙ୍କର ମୃତ୍ୟୁ ହୋଇଛି । ସହରରେ ୮୨ ହଜାର ୮୧୪ ଜଣ ସଂକ୍ରମିତ ଓ ୪୮୨୭ ଜଣଙ୍କର ମୃତ୍ୟୁ ହୋଇଛି ।