ଲୋକାର୍ପିତ ହେଲା ବିଶ୍ୱର ସବୁଠାରୁ ବଡ଼ କୋଭିଡ କେୟାର ସେଣ୍ଟର

ଏକା ସାଙ୍ଗରେ ଚିକିତ୍ସିତ ହେବେ ୧୦,୦୦୦ କରୋନା ରୋଗୀ

ନୂଆଦିଲ୍ଲୀ,୫/୭ : ଆଜି ଦିଲ୍ଲୀସ୍ଥିତ ବିଶ୍ୱର ସବୁଠାରୁ ବଡ଼ କୋଭିଡ କେୟାର ସେଣ୍ଟର ଲୋକାର୍ପିତ ହୋଇଛି | ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ଆଜି ରାଧା ସୋମି ସତସଙ୍ଗ ବିସରେ ଥିବା ୧୦,୦୦୦ ଶଯ୍ୟା ବିଶିଷ୍ଟ ସର୍ଦ୍ଦାର ପଟେଲ କୋଭିଡ କେୟାର ସେଣ୍ଟରର ଉଦଘାଟନ କରିଛନ୍ତି। କମ ଲକ୍ଷଣ ଥିବା ଏବଂ ଲକ୍ଷଣ ନଥିବା କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ଛତ୍ରପୁରରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଯେଉଁମାନଙ୍କ ଘରେ ଆଇସୋଲେସନରେ ରହିବାର ସୁବିଧା ନାହିଁ, ସେମାନଙ୍କ ପାଇଁ ମଧ୍ୟ ଏଠାରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି |

ସୂଚନା ମୁତାବକ, କୋଭିଡ କେୟାର ସେଣ୍ଟରର ଲମ୍ବ ୧୭୦୦ ଫୁଟ ଏବଂ ଚଉଡା ୭୦୦ ଫୁଟ ବୋଲି ଜଣା ପଡିଛି | ପ୍ରାୟ ୨୦ଫୁଟବଲ ପଡିଆ ସହ ସମାନ ଏହି କୋଭିଡ କେୟାର ସେଣ୍ଟରରେ ୫୦ ଶଯ୍ୟା ବିଶିଷ୍ଟ ୨୦୦ ଏନକ୍ଲୋଜର ରହିଛି | କର୍ତ୍ତୃପକ୍ଷ କହିଛନ୍ତି ଯେ, ଏହା ଦୁନିଆର ସବୁଠାରୁ ବଡ କୋଭିଡ କେୟାର ସେଣ୍ଟରର ଅଟେ। ଏହି କୋଭିଡ କେୟାର ସେଣ୍ଟରକୁ ଦିଲ୍ଲୀ ସରକାର ପ୍ରଶାସନିକ ସହାୟତା ପ୍ରଦାନ କରିଥିବାବେଳେ ଆଇଟିବିପି ଏହି କେନ୍ଦ୍ରର ନୋଡାଲ ଏଜେନ୍ସି ହେବ। ରାଧା ସୋମି ବିସର ଧାର୍ମିକ ସମ୍ପ୍ରଦାୟର ସ୍ବେଚ୍ଛାସେବୀମାନେ ମଧ୍ୟ ଏହି କେନ୍ଦ୍ର ଚଳାଇବାରେ ସାହାଯ୍ୟ କରିବେ। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖି ଏହି ପଦକ୍ଷପ ନିଆଯାଇଛି, ଯାହା ଦ୍ୱାରା ଏକା ସାଙ୍ଗରେ ୧୦,୦୦୦ କରୋନା ରୋଗୀ ନିଜର ଚିକିତ୍ସା କରାଇପାରିବେ |

ଶନିବାର ଦିଲ୍ଲୀରେ  ୨,୫୦୫ ନୂତନ ମାମଲା ରେକର୍ଡ ହୋଇଥିଲା, ଯାହା ପରେ ସହରରେ ମୋଟ ସଂକ୍ରମଣ ସଂଖ୍ୟା ୯୭,୨୦୦କୁ ବୃଦ୍ଧି ପାଇଥିଲା। ଏହା ସହ ୨,୬୩୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ, ଯାହାକୁ ମିଶାଇ ଦିଲ୍ଲୀରେ ମୋଟ ସୁସ୍ଥ ସଂଖ୍ୟା ୬୮,୨୫୬ ରେ ପହଞ୍ଚିଥିଲା |