ଉଲଗ୍ନ ଭିଡିଓ ପଠାଇବା ପାଇଁ ସହକର୍ମୀଙ୍କୁ ଅଶ୍ଳୀଳ ମେସେଜ୍‌ : ଆୟୁଷ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା

ଭୁବନେଶ୍ୱର, ୭/୭ : ‘ତୁମେ ଯେତେବେଳେ ମୋ ଚାମ୍ବରକୁ ଆସ, ମୁଁ ଏକ୍ସାଇଟେଡ୍‌ ହୋଇଯାଏ। ଏଣୁ ଆମର ଭଲ ଦୋସ୍ତି ହେବା ଦରକାର। ଆମେ ଦିନେ ଖୋଲା ପଡ଼ିଆକୁ ଯିବା। ସେଠି ଗୀତ ଗାଇବା, ନାଚିବା, ପେଟେ ପେଟେ ପିଇବା, ଯା’ ଇଚ୍ଛା ତା’ କରିବା। ତେବେ ଯାଇ ଦୋସ୍ତି ହେବ ନା’! ଆଉ ଯଦି କିଛି ବେଶି ସମସ୍ୟା ହେଲା, ତେବେ ମୁଁ ତୁମକୁ ସ୍ତ୍ରୀର ପରିଚୟ ଦେବି। ତୁମେ ଗୋଧୋଇବା ବେଳେ ମୋତେ ଟିକିଏ ଭିଡିଓ କଲ୍‌ କର।’ ଦୀର୍ଘ ସପ୍ତା‌ହେ ହେଲା, ହ୍ୱାଟ୍ସଅପରେ ଏମିତି ଅଶ୍ଲୀଳ ମେସେଜ୍‌ କରି ନିର୍ଯାତନା ଦେଉଥିବା ରାଜ୍ୟ ସରକାରଙ୍କ ଆୟୂଷ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍‌ ଅଫିସର ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କ ବିରୋଧରେ ଜଣେ ସହକର୍ମୀ ଯୁବତୀ ଏମିତି ସଂଗିନ୍‌ ଅଭିଯୋଗ ଆଣିଛନ୍ତି। ଯୁବତୀଜଣଙ୍କ ଏନେଇ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏତଲା ହେବା ପରଠାରୁ ଅଧିକାରୀଙ୍କ ପତ୍ତା ମିଳୁନି। ପୁଲିସ୍‌ ତାଙ୍କ କାର୍ଯ୍ୟାଳୟ ସହ ଘରେ ମଧ୍ୟ ଚଢ଼ଉ କରିଥିଲେ ମଧ୍ୟ ପାଇ ନାହିଁ। ଅପରପକ୍ଷେ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀଙ୍କ ଏଭଳି କଳା କାରନାମାକୁ ନେଇ ବିଭିନ୍ନସ୍ତରରେ ଚର୍ଚ୍ଚା ଜୋର୍‌ ଧରିଛି। କେତେକ ସମବୟସ୍କ ଅଧିକାରୀ ଅଭିଯୁକ୍ତ ଓଏଏସ୍‌ ଅଫିସରଙ୍କର ପୁରୁଣା ରେକର୍ଡ ଖୋଜିଛନ୍ତି। ପୂର୍ବରୁ ଗଣଶିକ୍ଷା ଓ ରାଜସ୍ୱ ବିଭାଗରେ ଥିବା ସମୟରେ ତାଙ୍କ ନାମରେ ଏଭଳି ଅଭିଯୋଗ ଉଠୁଥିଲା। କିନ୍ତୁ ସେଗୁଡ଼ିକ ବିଭାଗ ଭିତରେ ସୀମିତ ରହୁଥିଲା। କିନ୍ତୁ ଏବେ ଘଟଣା ଥାନାକୁ ଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି ଆଲୋଚନା ହେଉଛି।

ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ଯୁବତୀଜଣଙ୍କ ନ୍ୟାସ୍‌ନାଲ ଆୟୂଷ ମିସନ୍‌ରେ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ କାମ କରନ୍ତି। ଆୟୂଷ ବିଭାଗର ନିର୍ଦ୍ଦେଶକ ଭାବେ ଶ୍ରୀ ଷଡ଼ଙ୍ଗୀ ଅଗଷ୍ଟ ମାସରେ ଯୋଗ ଦେବା ପରେ ତାଙ୍କ ଉପରେ ନଜର ପକାଇଥିଲେ। ଜୁନ୍‌ ୨୮ ତାରିଖରେ ପ୍ରଥମେ ତାଙ୍କୁ ହ୍ବାଟ୍‌ସ୍‌ଆପ୍‌ରେ ଅଶ୍ଳୀଳ ମେସେଜ୍‌ ପଠାଇଥିଲେ। ନିଜର ଉଲଗ୍ନ ଭିଡିଓ ପଠାଇବା ସହ ବାଥ୍‌ରୁମ୍‌ରୁ ଭିଡିଓ କଲ୍‌ କରିବାକୁ କହିଥିଲେ। ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ଏଭଳି ବ୍ୟବହାର ଦେଖି ଯୁବତୀଜଣଙ୍କ କ’ଣ କରିବେ, କିଛି ଭାବି ପାରିନଥିଲେ। ତେବେ ପରେ ଫୋନ୍‌ କରି ଏଥିରୁ ନିବୃତ୍ତ ରହିବା ପାଇଁ ସେ ଶ୍ରୀ ଷଡ଼ଙ୍ଗୀଙ୍କୁ କହିଥିଲେ। ହେଲେ ନିବୃତ୍ତ ରହିବେ କ’ଣ, ଶ୍ରୀ ଷଡ଼ଙ୍ଗୀଙ୍କ ଅସଭ୍ୟ ଆଚରଣ ଦିନକୁ ଦିନ ବଢ଼ି ଚାଲିଥିଲା। ଯୁବତୀଜଣଙ୍କ ସିଧାସଳଖ ପ୍ରତିବାଦ କରିବାରୁ ସେ ତାଙ୍କ ଚାକିରି ନେଇଯିବା‌କୁ ଧମକ ଦେଇଥିଲେ। ତେଣୁ ଅନ୍ୟ ଉପାୟ ନ ପାଇ ଶେଷରେ ଯୁବତୀଜଣଙ୍କ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ଶ୍ରୀ ଷଡ଼ଙ୍ଗୀଙ୍କ କଥାବାର୍ତ୍ତାର ଅଡିଓ କ୍ଲିପ୍‌ ଓ ହ୍ୱାଟ୍ସଅପ ବାର୍ତ୍ତାଳାପର ସ୍କ୍ରିନ୍‌-ସଟ୍‌ ଧରି ମହିଳା ଥାନାରେ ପହଞ୍ଚିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିଛି।

ଜାନୁଆରିରେ ନେଇଥା’ନ୍ତେ ଅବସର:
ସହକର୍ମୀଙ୍କୁ ଯୌନ ନିର୍ଯାତନା ଖବରକୁ ନେଇ ଚର୍ଚ୍ଚା ହେବା ମାତ୍ରେ ସମସ୍ତେ ଅଭିଯୁକ୍ତ ଓଏଏସ୍‌ ଅଧିକାରୀଙ୍କର ବୟସ ଅନୁମାନ ଲଗାଇଥିଲେ। ଅଭିଯୁକ୍ତଙ୍କୁ ଜାଣିନଥିବା ଲୋକ ନୂଆ ଚାକିରି, ୨୫ରୁ ୩୫, ଅବିବାହିତ ଏଭଳି ମତ ଦେଇଥିଲେ। ହେଲେ ଆସନ୍ତା ଡିସେମ୍ବରରୁ ଜାନୁଆରି ମାସ ମଧ୍ୟରେ ସେ ଅବସର ନେଇଥାନ୍ତେ। ଅର୍ଥାତ୍‌ ୬୦ ବର୍ଷ ବୟସରେ ଅଭିଯୁକ୍ତ ଅଧିକାରୀଙ୍କର ଏଭଳି ଲୀଳାକୁ ନେଇ ଚର୍ଚ୍ଚାର ପରିସର ସରଗରମ ହୋଇଥିଲା।