ନୂଆଦିଲ୍ଲୀ : କରୋନା କାରଣରୁ ସିନେଜଗତ ମଧ୍ୟ ଅନେକ କ୍ଷତି ସହିବାରେ ଲାଗିଛି। ଚଳଚ୍ଚିତ୍ରଗୁଡ଼ିକ ଏବେ ପ୍ରେକ୍ଷାଳୟରେ କେବେ ମୁକ୍ତିଲାଭ କରିବ, ତାହା କହିବା ମୁସ୍କିଲ୍। କେତୋଟି ଚଳଚ୍ଚିତ୍ରର ସୁଟିଂ ଚାଲିଛି, କିନ୍ତୁ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ସେଟ୍ ଆସିବାରେ କଟକଣା ରହିଛି। ଏହା କାରଣରୁ ସୁଟିଂ ଶୀଘ୍ର ଶେଷ ହୋଇପାରିବନାହିଁ ବୋଲି ପ୍ରଯୋଜକମାନେ ପ୍ରମାଦ ଗଣିଲେଣି। ଏ ଭିତରେ ନିର୍ଦେଶକ ରାକେଶ୍ ରୋଶନ୍ ନିଜ ଆଗାମୀ ଚଳଚ୍ଚିତ୍ର ‘କ୍ରିଶ୍-୪’ ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି।
ଚଳିତ ବର୍ଷ ଏଇ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାନ୍ତା, କିନ୍ତୁ ଗତ ବର୍ଷ ରାକେଶ୍ କର୍କଟରେ ଆକ୍ରାନ୍ତ ହେବାରୁ କାମ ଆରମ୍ଭରେ ବିଳମ୍ବ ହେଲା। ଚଳିତ ବର୍ଷ କରୋନା ବାଧକ ସାଜିଛି। ଚଳଚ୍ଚିତ୍ରର କେତୋଟି ଦୃଶ୍ୟର ସୁଟିଂ ଜାନୁଆରୀ ଦ୍ଵିତୀୟ ସପ୍ତାହରେ ହୋଇଛି। ଅନ୍ୟ କାମ ପାଇଁ ସମସ୍ତ ପ୍ଲାନିଂ ହୋଇସାରିଥିବା ସତ୍ୱେ କାମ ଆଗକୁ ବଢ଼ିପାରୁନାହିଁ। କ୍ରିଶ୍-୪ର କାହାଣୀ ଦମ୍ଦାର୍ ହେବା ସହ ମୁଖ୍ୟ ଭୂମିକାରେ ହ୍ରିତିକ୍ ରୋଶନ୍, ଅନୁଷ୍କା ଶର୍ମା ଅଭିନୟ କରିବେ ବୋଲି ଶୁଣାଯାଉଛି। ପ୍ରିୟଙ୍କା ଚୋପ୍ରା ଏଥିରେ ଅତିଥି କଳାକାର ଭୂମିକାରେ ଦେଖାଦେବେ।