ଜୀବିକା ପାଇଁ ଡହଳବିକଳ : ସୁରତ ଫେରିଯାଉଛନ୍ତି ଓଡ଼ିଆ

ଖଲ୍ଲିକୋଟ : ଜୀବିକା ପାଇଁ ଡହଳବିକଳ ପ୍ରବାସୀ ପୁନର୍ବାର କର୍ମସ୍ଥଳକୁ ଚାଲିଯିବାକୁ ଯୋଜନା କରିଲେଣି। ବାରମ୍ବାର ଫ୍ଲାଇଟ ଓ ଟ୍ରେନ ବାତିଲ ହେଉଥିବାରୁ ବସ୍ ଯୋଗେ ଖଲ୍ଲିକୋଟ ବ୍ଲକ ଅଞ୍ଚଳରୁ ପ୍ରାୟ ୩ହଜାର ପ୍ରବାସୀ ସୁରତ ଫେରି ଯାଇଥିବା ସୂଚନା ମିଳିଛି। ଦେଶରେ କରୋନା ମହାମାରୀକୁ ଆଖି ଆଗରେ ରଖି ବିଭିନ୍ନ ରାଜ୍ୟରେ କଳକାରଖାନାରେ ଶ୍ରମିକ ତଥା କୁଶଳୀ କାରିଗର ଭାବେ କାର୍ଯ୍ୟ କରିଆସୁଥିବା ପ୍ରବାସୀ ଓଡ଼ିଆମାନେ ପ୍ରାଣ ବିକଳରେ ଓଡିଶାକୁ ଫେରିଥିଲେ। ମାର୍ଚ୍ଚ ୨୨ ତାରିଖଠାରୁ ବିଭିନ୍ନ ଦଫାରେ ବସ, ଟ୍ରେନ ଏପରିକି ଚାଲି ଚାଲି ଭିଟାମାଟି ଫେରି ସଂଗରୋଧ ଗୃହ ଓ ଘରେ ପୃଥକବାସରେ ରହିବା ପରେ ଏବେ ଜୀବିକା ଚିନ୍ତାରେ ପଡିଛନ୍ତି। ୪ ମାସ ଧରି କରୋନା ସହିତ ଲଢେଇ କରି ଏହି ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଭୋକ ଉପାସରେ କାଳାତିପାତ କରୁଛନ୍ତି । ଦିନକୁ ଦିନ କରୋନା ସଂଗ୍ରମଣ ବୃଦ୍ଧି ପାଇବା ଏବଂ ଏହାକୁ ପ୍ରତିହତ ପାଇଁ ଲକଡାଉନ ଓ ସଟଡାଉନ ବରାବର ଜାରି ରହିଥିବାରୁ ଏମାନଙ୍କ ଜୀବିକା ଚିନ୍ତା କରିବାକୁ କେହି ଧ୍ୟାନ ଦେଉ ନାହାନ୍ତି । ଗାଁ ପାଖରେ ସେଭଳି କୌଣସି ଜୀବିକାର ସୁଯୋଗ ନାହିଁ। କୃଷି କାର୍ଯ୍ୟରେ ନିୟୋଜିତ ହେବାକୁ ଅନେକ ନାପସନ୍ଦ କରୁଛନ୍ତି। କିଛିଦିନ ଧାରକରଜ କରି ପରିବାର ଚଲେଇବା ପରେ ବର୍ତ୍ତମାନ ଅଣନିଃଶ୍ୱାସୀ ହୋଇପଡିଲେଣି। ବିଭିନ୍ନ ଗ୍ରାମରେ ପ୍ରବାସୀ ଓଡ଼ିଆମାନେ ଲକଡାଉନ ଯୋଗୁ ବିବିଧ ସମସ୍ୟା ଭିତରେ ରହିଛନ୍ତି। ଜୀବିକା ନିର୍ବାହ ପାଇଁ ଡହଳବିକଳ ହେଲେଣି । ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କ ଥଇଥାନ ପାଇଁ ବ୍ୟବସ୍ଥା ହୋଇନଥିବାରୁ ଉକ୍ତ ପ୍ରବାସୀ ଶ୍ରମିକମାନେ ପୁଣି ଫେରିଥିବା କର୍ମ ସ୍ଥଳକୁ ବାହୁଡିବାକୁ ପାଇଁ ମନସ୍ଥ କଲେଣି ।