କଟକରେ ହଟିଲା ସଟ୍‌ଡାଉନ୍‌; ରାତି କର୍ଫ୍ୟୁ ରହିବ

କଟକ, ୧୩/୭ : କଟକରେ କରୋନା ସଂକ୍ରମଣ ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟ୍‌ଡାଉନ୍‌ କଟକଣାକୁ କେତେକ ସର୍ତ୍ତ ଅନୁଯାୟୀ ଉଠାଯାଇଛି। ଆଜିଠାରୁ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ଖୋଲା ରହିବ। ସହରରେ ସନ୍ଧ୍ୟା ୭ଟାରୁ ସକାଳ ୫ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁହେବ। ସରକାରୀ ଅଫିସ୍ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ। କୋଭିଡ୍ କଟକଣା ସର୍ତ୍ତ ସହିତ ସହରରେ ସପିଂ ମଲ୍ ଖୋଲିବ; କିନ୍ତୁ ପାର୍କଗୁଡିକ ଜୁଲାଇ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ରବିବାର ଗୀତଗୋବିନ୍ଦ ସଦନଠାରେ କଟକର କରୋନା ସ୍ଥିତି ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରୁ ଜଣାଯାଇଛି।

ସହରରେ କୋଭିଡ଼ ମୁକାବିଲା ପାଇଁ ୫ସୂତ୍ରୀ ପଦକ୍ଷେପ ଗ୍ରହଣ କରାଯାଉଛି। ସେଥିରେ ଆଣ୍ଟିଜେନ ଟେଷ୍ଟ ଓ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ୱ ଦିଆଯିବା ସହ ହସ୍ପିଟାଲର ଓପିଡ଼ିକୁ ନିଷିଦ୍ଧ କରାଯାଇଛି। ଏହାବାଦ୍ ଇଫେକ୍ଟିଭ ସ୍କ୍ରିନିଂ ଏବଂ ସାନିଟାଇଜେସନକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। କଟକ ସାହି କମିଟି, ପୂଜା କମିଟି ଓ ଜନସାଧାରଣଙ୍କ ସହାୟତା ଏବଂ ସତର୍କତା ହିଁ କରୋନା ମୁକାବିଲା କରିବାରେ ବିଶେଷ ସହାୟକ ହେବ ବୋଲି ଶ୍ରୀମତୀ ଦାସ କହିଛନ୍ତି।