ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ଶତପ୍ରତିଶତ ସଫଳତା

ଭୁବନେଶ୍ୱର,୧୩ /୭ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଉକ୍ତ ବିଦ୍ୟାଳୟର ବିଜ୍ଞାନ ବିଭାଗରେ ମୋଟ ୨୩୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨୦ ଜଣ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନ ବିଭାଗରେ ବିଦ୍ୟାଳୟର ସାମଗ୍ରିକ ହାର ୮୯.୧୭ ପ୍ରତିଶତ ଥିବାବେଳେ ବାଣିଜ୍ୟ ବିଭାଗରେ ୮୬.୯୬ ପ୍ରତିଶତ ରହିଅଛି । ଦିଶା ଗାୟତ୍ରୀ ନାହାକ ୯୭.୦୦% ନମ୍ବର ସହ ପ୍ରଥମ, ସାଇ ପ୍ରସନ୍ନ ପଣ୍ଡା, ଦେବଜିତ୍‍ ଗୋସ୍ୱାମୀ ଏବଂ ନେହା ବିଶ୍ୱାଳ ୯୬.୬୦% ରଖି ଦ୍ୱିତୀୟ ଏବଂ ୯୬.୪୦% ନମ୍ବର ସହ ଲୋପିତା ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ସେହିପରି ବାଣିଜ୍ୟ ବିଭାଗରେ ଅଜୟ ଦେବତା ୯୭.୬୦% ନମ୍ବର ସହ ପ୍ରଥମ, କ୍ରିତିକା ପଟ୍ଟନାୟକ ୯୬.୬୦% ଦ୍ୱିତୀୟ ଏବଂ ୯୬.୦୦% ନମ୍ବର ସହ ଶୁଭାଶିଷ ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବିଜ୍ଞାନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଦିଶା ଗାୟତ୍ରୀ ନାହାକ ତାଙ୍କର ସଫଳତା ପାଇଁ ନିଜର କଠିନ ପରିଶ୍ରମ , ବିଦ୍ୟାଳୟର ଅଧ୍ୟକ୍ଷା , ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ନିଜର ପିତାମାତାଙ୍କୁ ଶ୍ରେୟ ଦେଇଛନ୍ତି । ସେହିପରି ବାଣିଜ୍ୟ ବିଭାଗର ପ୍ରଥମ ସ୍ଥାନ କରିଥିବା ଅଜୟ ଦେବତା ଭଗବାନଙ୍କ ଆଶୀର୍ବାଦ , ବିଦ୍ୟାଳୟର ଅଧ୍ୟକ୍ଷା ମହୋଦୟା ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ପଥ ପ୍ରଦର୍ଶନ ଓ ପିତାମାତାଙ୍କ ଉଚିତ ପରାମର୍ଶକୁ ଗ୍ରହଣ କରି ଏହି ସଫଳତା ପାଇଛନ୍ତି ବୋଲି କହିଛନ୍ତି । ଅଧିକାଂଶ ଛାତ୍ରଛାତ୍ରୀ ବିଷୟଭିତ୍ତିକ ଶତପ୍ରତିଶତ ନମ୍ବର ରଖି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ଏହି ସଫଳତା ପାଇଁ ଛାତ୍ରଛାତ୍ରୀ,ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।