ଜୟପୁର ୧୩/୦୭ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଏବଂ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଗତିରୋଧ ଜାରି ରହିଛି । ବର୍ତ୍ତମାନ ସଚିନ ପାଇଲଟଙ୍କ ସ୍ବର୍ଗୀୟ ପିତା ରାଜେଶ ପାଇଲଟଙ୍କୁ ମନେପକାଯାଉଛି ଯିଏ ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସ ଛାଡି ନଥିଲେ । ସେ ବଞ୍ଚିଥିଲାବେଳେ କହିଥିଲେ ଯେ ଦଳରେ ଆଉ ପାରଦର୍ଶିତା ନାହିଁ, ଚୌକିକୁ ସଲାମ କରାଯାଉଛି । ଅନେକ ସମୟରେ ରାଜେଶ ପାଇଲଟ ଦଳକୁ ସାର୍ବଜନିକ ସ୍ଥରରେ ପରାମର୍ଶ ଦେଇଥିଲେ । ଥରେ ସେ ସିଧାସଳଖ ଗାନ୍ଧୀ ପରିବାରକୁ ଚେତାବନୀ ଦେଇଥିଲେ । କିନ୍ତୁ ରାଜନୀତିରେ ପ୍ରବେଶ କରିବା ଠାରୁ ଆରମ୍ଭ କରି ଶେଷ ନିଶ୍ୱାସ ଯାଏଁ ସେ କଂଗ୍ରେସର ହାତ ଧରି ରଖିଥିଲେ ।
ରାଜେଶ ପାଇଲଟ ୧୯୪୫ ମସିହାରେ ଜନ୍ମ ହୋଇଥିଲେ । ସେ ବାୟୁସେନାରେ ଭର୍ତ୍ତି ହୋଇଥିଲେ । ୧୩ ବର୍ଷ ବାୟୁସେନାରେ ସେବା କରିବା ପରେ ଇସ୍ତଫା ଦେଇ ସେ ରାଜନୀତିରେ ପ୍ରବେଶ କରିଥିଲେ । ସେ ଗାନ୍ଧୀ ପରିବାର ଜରିଆରେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୮୦ ମସିହାରେ ରାଜେଶ ପାଇଲଟ ରାଜସ୍ତାନ ଭରତପୁର ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ । ପାଇଲଟ ଥିବା ଯୋଗୁଁ ସଞ୍ଜୟ ଗାନ୍ଧୀଙ୍କର ସେ ନିକଟତର ଥିଲେ । ପରେ ସେ ରାଜୀବ ଗାନ୍ଧୀଙ୍କର ମଧ୍ୟ ନିକଟତର ହୋଇଥିଲେ । ଏହାପରେ ସେ ଲଗାତାର ନିର୍ବାଚନ ଜିତିଥିଲେ ଏବଂ କେନ୍ଦ୍ରରେ ନିଜର ଭୂମିକା ବଜାୟ ରଖିଥିଲେ । ରାଜୀବ ଗାନ୍ଧୀଙ୍କ ହତ୍ୟା ସମୟରେ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା । ସେତେବେଳେ ରାଜେଶ ପାଇଲଟ ଅନେକ ସମୟରେ ମଉକା ଦେଖି ନିଜର ତେୱର ଦେଖାଇଥିଲେ ।

୧୯୯୭ ମସିହାରେ ଏହାର ଏକ ବଡ ଉଦାହରଣ ଦେଖିବାକୁ ମିଳିଥିଲା । ରାଜେଶ ପାଇଲଟ ସୀତାରାମ କେଶରୀଙ୍କ ବିରୋଧରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେ ସଫଳ ହୋଇନଥିଲେ । ସେତେବେଳେ କଂଗ୍ରେସ ଗାନ୍ଧୀ ପରିବାରର ନେତୃତ୍ୱ ବିନା ଚାଲିଥିଲା ଏବଂ ଦଳରେ ଫାଟ ସୃଷ୍ଟି ହେଲା ଭଳି ଜଣାପଡୁଥିଲା । ସେଥିପାଇଁ ୧୯୯୭ ମସିହାରେ ସୋନିଆ ଗାନ୍ଧୀ ଦଳରେ ସାମିଲ ହୋଇଥିଲେ ବୋଲି କୁହାଯାଏ । ୧୯୯୮ ରେ ସେ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ । ୧୯୯୯ ମସିହାରେ ସୋନିଆ ଗାନ୍ଧୀ କର୍ଣ୍ଣାଟକ ବିଲ୍ଲୋର ଓ ଉତ୍ତର ପ୍ରଦେଶ ଅମେଠି ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ । ଏହାପରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ଚର୍ଚ୍ଚା ଜୋର ଧରିଲା । ଏତିକିବେଳେ ପିଏ ସାଙ୍ଗମା, ଶରଦ ପାୱାର ଓ ତାରିକ ଆନୱାରଙ୍କ ଭଳି ବଡ ବଡ ନେତା ଦଳ ଛାଡି ଦେଇଥିଲେ ।
ସେତେବେଳେ ରାଜେଶ ପାଇଲଟଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା ଯେ ସେ ମଧ୍ୟ ଦଳ ଛାଡି ପାରନ୍ତି । କିନ୍ତୁ ସମସ୍ତଙ୍କ ଆଶଙ୍କାକୁ ଦୂର କରି ରାଜେଶ ପାଇଲଟ ଦଳର ହାତ ଧରି ରଖିଥିଲେ । କିନ୍ତୁ ସେତେବେଳେ ଦଳରୁ ତାଙ୍କର ଦୂରତ୍ୱ ବଢି ଚାଲିଥିଲା । ଏହାର ଉଦାହରଣ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସମୟରେ ଦେଖିବାକୁ ମିଳିଥିଲା । ସେତେବେଳେ ଜିତେନ୍ଦ୍ର ପ୍ରସାଦ ସୋନିଆଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିଥିଲେ ଏବଂ ରାଜେଶ ପାଇଲଟ ଜିତେନ୍ଦ୍ରଙ୍କୁ ସପୋର୍ଟ କରିଥିଲେ । ୨୦୦୦ ମସିହା ଜୁନ ୧୧ ତାରିଖରେ ସଡକ ଦୁର୍ଘଟଣାରେ ରାଜେଶ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ଜିତେନ୍ଦ୍ର ପ୍ରସାଦ ନିର୍ବାଚନ ହାରିଗଲେ ଓ ସୋନିଆ ଗାନ୍ଧୀ ଲଗାତାର କଂଗ୍ରେସ ଅଧ୍ୟକ୍ଷ ପଦବୀ ଅକ୍ତିଆର କରିରଖିଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ ମଧ୍ୟ ରାଜେଶ ପାଇଲଟ କଂଗ୍ରେସର ହାତ ଛାଡ଼ିନଥିଲେ ।