କରୋନାକୁ ମାରିବ ‘ଡେକ୍ସାମେଥାସନ’ : ଔଷଧକୁ ନିରାପଦ ଘୋଷଣା କଲା WHO

କରୋନା ପ୍ରତିରୋଧୀ ଟିକା ଉଦ୍ଭାବନ ଲାଗି ପ୍ରୟାସ ଚାଲିଛି । ରୁଷରେ ଏହି ଟିକା ଉଦ୍ଭାବନ ହୋଇଛି ବୋଲି ଚର୍ଚା ଚାଲିଛି । ଚୀନ, ଆମେରିକା, ବ୍ରିଟେନ, ଭାରତ ପରି ଦେଶ ଅହରହ କରୋନା ଔଷଧ ଉଦ୍ଭାବନ ନିମନ୍ତେ ଗବେଷଣା ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ପୁରୁଣା ଔଷଧ କରୋନା ଉପରେ ପ୍ରଭାବଶାଳୀ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ହାଇଡ଼୍ରୋକ୍ଲୋରୋକ୍ବିନ, ମେଟାଫରମିନ୍ ଅପେକ୍ଷା ଏହି ଔଷଧ କରୋନା ଭଲ କରିବାରେ ବେଶ ଉପଯୋଗୀ ହୋଇପାରିଛି ବୋଲି ଅନେକ ବିଶେଷଜ୍ଞ ଓ ଡ଼ାକ୍ତର ଦାବି କରୁଛନ୍ତି । ଏହି ଔଷଧ ହେଉଛି ଅଳ୍ପ କ୍ଷମତାସମ୍ପନ ଏକ ଷ୍ଟେରଏଡ଼, ଯାହାର ନାଁ ହେଉଛି ଡ଼େକ୍ସାମେଥାସୋନ । କମ୍ ମୂଲ୍ୟରେ ମିଳୁଥିବା ଏହି ଔଷଦ କରୋନା ରୋଗୀଙ୍କ ଉପରେ ବେଶ୍ ପ୍ରଭାବଶାଳୀ ହୋଇ ପାରୁଛି ବୋଲି କୁହାଯାଉଛି । ଏପରିକି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) ମଧ୍ୟ ଏହାକୁ ପାର୍ଶ୍ବପ୍ରତିକ୍ରିୟାହୀନ ଓ ନିରାପଦ ବୋଲି ଟିପ୍ପଣୀ କରିଥିବା ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । କରୋନା ପୀଡ଼ିତମାନଙ୍କ ଚିକିତ୍ସାରେ ଡେକ୍ସାମେଥାସନ ବ୍ୟବହାର ଦ୍ୱାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟାର ପ୍ରମାଣ ଏଯାଏ ମିଳିନାହିଁ । ଏହି ଆଧାରରେ ଡବ୍ଲ୍ୟୁଏଚଏଓ କୋରୋନା ଚିକିତ୍ସା ପାଇଁ ଡେକ୍ସାମେଥାସନ ଔଷଧକୁ ନିରାପଦ ଘୋଷଣା କରିଛି।

କୁହାଯାଉଛି କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଡେକ୍ସାମେଥାସୋନ(dexamethasone) ଏକ ପ୍ରଭାବଶାଳୀ ଏବଂ ଶସ୍ତା ଔଷଧ । ଇଂଲଣ୍ଡର କିଛି ବିଶେଷଜ୍ଞ କହିଛନ୍ତି ଯେ କରୋନା ରୋଗର ପ୍ରଭାବକୁ ହ୍ରାସ କରିବା ପାଇଁ ବ୍ୟବହୃତ ଷ୍ଟେରଏଡ ଡେକ୍ସାମେଥାସୋନ ସଫଳ ହୋଇପାରିଛି । ଯେଉଁ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି ସେମାନଙ୍କ ଜୀବନ ବଞ୍ଚାଇବାରେ ଏହା ସଫଳ ବୋଲି ପ୍ରମାଣିତ ହୋଇଛି। ଏହାର ବ୍ୟବହାର ଭେଣ୍ଟିଲେଟରରେ ଥିବା ରୋଗୀଙ୍କ ମୃତ୍ୟୁ ହାରକୁ ୩୩.୩୩ ଏବଂ କମ୍ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ ମୃତ୍ୟୁ ହାରକୁ ୨୦% ହ୍ରାସ କରିଛି।