ମୁମ୍ବାଇ, ୨୮/୭ : ମୁମ୍ବାଇର ସବୁଠାରୁ ଉଚ୍ଚ ମେଟ୍ରୋ କରିଡର ଷ୍ଟେସନର ଫାଉଣ୍ଡେଶନ କାମ ୪୮ ପ୍ରତିଶତ ଶେଷ ହୋଇସାରିଛି । ବର୍ଷ ୨୦୨୨ ପର୍ଯ୍ୟନ୍ତ ଏହି ଲାଇନରେ ମେଟ୍ରୋ ଟ୍ରେନ ଚାଲିବ । ଏମଏମଆର ଅଂଚଳରେ ମେଟ୍ରୋର ୧୩ କରିଡରର କାମ ଚାଲିଛି । ମେଟ୍ରୋ ୬ କରିଡରକୁ ଛାଡ଼ି ସମସ୍ତ କରିଡର ନିର୍ମାଣ ଭୂପୃଷ୍ଠରୁ ପାଖାପାଖି ୧୬ ମିଟର ଉଚ୍ଚରେ ରହିଛି । ସ୍ୱାମୀ ସମର୍ଥ ନଗରରୁ ବିକ୍ରୋଲି ମଧ୍ୟରେ ନିର୍ମାଣ ଚାଲିଥିବା ମେଟ୍ରୋ ୬ କରିଡରକୁ ଭୂପୃଷ୍ଠରୁ ୩୮ ମିଟର ଉଚ୍ଚରେ ନିର୍ମାଣ କରାଯାଉଛି । ସାଧାରଣତଃ ଗୋଟିଏ ମହଲା ଘରର ଉଚ୍ଚତା ପାଖାପାଖି ୩ ମିଟର ହୋଇଥାଏ । ଏହି ହିସାବରେ ଦେଖିବାକୁ ଗଲେ ମେଟ୍ରୋ-୬ର ଉଚ୍ଚତା ୧୩ ମହଲା ଘରର ଉଚ୍ଚତା ସହିତ ସମକକ୍ଷ ହୋଇପାରିବ ।
ପୂରା କରିଡରର ଲାଇନରେ ମୋଟ ୭୭୮ ଖମ୍ବ ନିର୍ମାଣ ହେବ । ଏପର୍ଯ୍ୟାନ୍ତ ୯୮ଟି ଶେଷ ହୋଇସାରିଛି । ୫୮ ପିଲର ୫୦ ପ୍ରତିଶତ ହୋଇଛି । ଆହୁରି ୬୨୨ଟି ଖମ୍ବ ନିର୍ମାଣ ହେବ । ଏମଏମଆରଡିଏ ୧୪.୪୭ କିଲୋମିଟର ଲମ୍ବ ମେଟ୍ରୋ ୬ କରିଡରକୁ ନିର୍ମାଣ କରୁଛି । ଏହି କରିଡର ଲୋଖଣ୍ଡଓ୍ନବାଲା-ଜୋକେଶ୍ୱରୀ-କୁଂଜରମାର୍ଗ ଦେଇ ବିକ୍ରୋଲିରେ ପହଂଚିବ । ମେଟ୍ରୋ-୬ରେ ମୋଟ ୧୩ଟି ଷ୍ଟେସନ ରହିବ । ଏହି ଯୋଜନା ପାଇଁ ମୋଟ ୬୬୭୨ କୋଟି ଟଙ୍କା ଖର୍ଚ୍ଚ ହେବ ।