ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ରୋଗୀଙ୍କୁ ନୂଆ ଜୀବନ ଦେବାକୁ ପ୍ଲାଜମା ବ୍ୟାଙ୍କର ପରିକଳ୍ପନା କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ଏସ୍ସିବି ପରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ରେ ରାଜ୍ୟର ଦ୍ଵିତୀୟ ପ୍ଲାଜ୍ମା ବ୍ୟାଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଭିଡ଼ିଓ କନ୍ଫରେନ୍ସିଂରେ ରାଜ୍ୟର ଏହି ଦ୍ଵିତୀୟ ପ୍ଲାଜ୍ମା ବ୍ୟାଙ୍କ ଲୋକାର୍ପିତ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପ୍ଲାଜ୍ମା ଥେରାପିରୁ ସୁଫଳ ମିଳୁଥିବା ଦେଖିବାକୁ ମିଳୁଛି। ରାଜ୍ୟର କାହାରିକୁ ଚିକିତ୍ସା ସୁବିଧାରୁ ବଞ୍ଚିତ କରାଯିବ ନାହିଁ। ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ ପ୍ଲାଜ୍ମା ବ୍ୟାଙ୍କ। ରାଉରକେଲା ଆଇଜିଏଚ୍, ବୁର୍ଲା ଭୀମ୍ସାର ଓ ବ୍ରହ୍ମପୁର ଏମ୍କେସିଜିରେ ପ୍ଲାଜ୍ମା ବ୍ୟାଙ୍କ ପ୍ରତିଷ୍ଠା ହେବ। ଆସନ୍ତାକାଲି ରାଉରକେଲା ଆଇଜିଏଚ୍ରେ ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟିତ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରଦୀପ କୁମାର ମହାପାତ୍ର, ୫ଟି ସଚିବ ଭି.କେ.ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ।
ୟୁନିଟ୍ ୬ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟର ୪ର୍ଥ ପ୍ଲାଜମା ବ୍ୟାଙ୍କ କରୋନା ରୋଗୀଙ୍କୁ ନୂଆ ଜୀବନ ଦେବ ବୋଲି ଆଶା କରାଯାଇଛି। କେବଳ ଏତିକି ନୁହେଁ, ପ୍ଲାଜମା ଦାନ ପାଇଁ ମଧ୍ୟ ଏକ ୱେବପୋର୍ଟାଲର ମଧ୍ୟ ଉଦଘାଟନ କରିଛନ୍ତି ରାଜ୍ୟ ସରକାର। ଯେଉଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସେମାନେ ନିଜର ପ୍ଲାଜମା ଦାନ କରି ଅନ୍ୟ ଆକ୍ରାନ୍ତଙ୍କୁ ନୂଆ ଜୀବନ ଦେବାରେ ସହାୟକ ହେଉଛନ୍ତି।