ଜିଲାପାଳ କାର୍ଯ୍ୟାଳୟରେ ଧସେଇ ପଶିଲେ ବିଧାୟକ ଜୟନାରାୟଣ ମିଶ୍ର , ଥାନାରେ ମାମଲା ରୁଜୁ

ସମ୍ବଲପୁର,୨୮ /୭: ସମ୍ବଲପୁର ଜିଲାପାଳ କାର୍ଯ୍ୟାଳୟ ପରିସରରେ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲଗାଯାଇଛି। ମଙ୍ଗଳବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ସମେତ ବିଜେପି ପ୍ରତିନିଧି ଦଳ ପଶ୍ଚିମ ଓଡ଼ିଶାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଏବଂ ସମ୍ବଲପୁର ଜିଲାରେ କୋଭିଡ ପରିଚାଳନାରେ ନୀତିଗତ ତ୍ରୁଟି ଓ ଅପାରଗତା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେବାକୁ ଜିଲାପାଳ କାର୍ଯ୍ୟାଳୟ ପରିସରରେ ଧସେଇ ପଶିବା ଅଭିଯୋଗରେ ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ସମ୍ବଲପୁର ବିଧାୟକ ଶ୍ରୀ ମିଶ୍ର ଜନପ୍ରତିନିଧିଙ୍କ ପାଇଁ କଟକଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ସମ୍ବଲପୁରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। କୋଭିଡ-୧୯ ଚିକିତ୍ସା ଆଳରେ ସାଧାରଣ ରୋଗୀଙ୍କୁ ଚିକିତ୍ସା କରାଯାଉନାହିଁ। ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ବେଳେ ଏହାର ଲାଭ ଘରୋଇ ଚିକିତ୍ସାଳୟ ଓ କ୍ଳିନିକ୍‌ ମାନେ ପାଉଛନ୍ତି। ଫଳରେ ଗରିବ ରୋଗୀ ମାନେ ଆର୍ଥିକ କ୍ଷେତ୍ରରେ ଶୋଷିତ ହେଉଛନ୍ତି। ସ୍ୱାସ୍ଥ୍ୟସେବା ପାଇଁ ବୁର୍ଲା ଭୀମସାର ଉପରେ ପଶ୍ଚିମ ଓଡିଶା ତଥା ପଡୋଶୀ ଛତିଶଗଡ, ମଧ୍ୟପ୍ରଦେଶ ଆଦି ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ମାତ୍ର ରାଜ୍ୟ ସରକାରଙ୍କ ନୀତିଗତ ଓ ପରିଚାଳନା ଗତ ତ୍ରୁଟି ଯୋଗୁଁ ଜିଲାର ସ୍ୱାସ୍ଥ୍ୟ ସମସ୍ୟା ସଙ୍ଗୀନ ହୋଇ ପଡିଛି। ସାଧାରଣ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି।