ରାଜ୍ୟରେ ୪ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର, ୯/୮ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଦାନା ବାନ୍ଧିବାରେ ଲାଗିଛି। ଆଜି ଏହା ସକ୍ରିୟ ଲଘୁଚାପ​ରେ ପରିଣତ ହେବ। ଏହାପ୍ରଭାବରେ ଆଜି ରାଜ୍ୟର କିଛି ଜିଲାରେ ପ୍ରବଳ ବର୍ଷା ସହିତ ଅଧିକାଂଶ ଜିଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଆଜିଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଲାଗିରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା କାଲି କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ଗଜପତି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ରାୟଗଡ଼ା, ଗଞ୍ଜାମ, ବଲାଙ୍ଗୀର, ମାଲକାନଗିରି ଓ ବରଗଡ଼ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ତେଣୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିରୁ ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟରେ ବର୍ଷାର ପରିମାଣ ବେଶ୍ ଅଧିକ ରହିବ। ଏହି ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଆସନ୍ତାକାଲି ନୟାଗଡ଼, ବୌଦ୍ଧ, ରାୟଗଡ଼ା, ଗଜପତି ଓ ବରଗଡ଼ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୨ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ୧୩ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲାରେ ୭୭ ମିମି ବର୍ଷା ହୋଇଥିବା ବେଳେ ୩୧ ମିମି, ବାଲେଶ୍ୱରରେ ୨୮ ମିମି, ନୟାଗଡ଼ରେ ୨୭ ମିମି, ଚାନ୍ଦବାଲିରେ ୨୬ ମିମି, କୋରାପୁଟରେ ୨୪ ମିମି ବର୍ଷା ରେକର୍ଡ କରାଯାଇଛି।