ଗାଡ଼ିଆକୁ ଶୌଚ ହେବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ବରଣ କଲେ ସୁଧୀର

ମହାକାଳପଡ଼ା, (କେଶବ ଚରଣ ନାଥ ) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅଧିନସ୍ଥ ମଙ୍ଗଳପୁର ପଂଚାୟତ କୁମାରପଡା ଗ୍ରାମର ସୁଧୀର କୁମାର ସାହୁ ବୟସ ୫୪ ଶୁକ୍ରବାର ରାତ୍ରିରେ ପାଖ ଗାଡ଼ିଆକୁ ଶୌଚ ହେବାକୁ ଯାଇଥିବା ସମୟରେ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ମୃତ୍ୟୁ ବରଣ କରି ଥିବାର ଜଣାପଡିଛି। ସୂଚନାରୁ ପ୍ରକାଶ ରାତ୍ରିରେ ପରିବାର ଲୋକଙ୍କ ଅଗୋଚରରେ ସୁଧୀର ଗାଡ଼ିଆକୁ ଶୌଚ ହେବାକୁ ଯାଇ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ବହୁ ଖୋଜା ଖୋଜି ପରେ ଅଗ୍ନିସମ ବାହିନୀର ସହାୟତା ନେଇଥିଲେ । କିନ୍ତୁ ଦୁଃଖର କଥା ରାତ୍ରିରେ ଆଗ୍ନିକ ଦଳର ବହୁ ଅନୁସଂଧାନ ପରେ ବି ସୁଧୀରଙ୍କ ପତ୍ତା ମିଳିନଥିଲା । ନିରୁପାୟ ହୋଇ ପରିବାର ତରଫରୁ ସୁଧୀରଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଶନିବାର ସକାଳେ ଘର ପାଖ ପୋଖରୀରେ ସୁଧୀର ଙ୍କ ଶବ ଭାସୁଥିବାର ଦେଖି ପରିବାର ଲୋକ ପୋଲିସକୁ ଖବର ଦେଇ ଥିଲେ ।

ମହାକାଳପଡ଼ା ପୋଲିସ ଟିମ ଘଟଣା ସ୍ଥଳରେ ପହଂଚି ଶବକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଅପମୃତ୍ୟ ମାମଲା ୨o /୨o୨o ରୁଜୁ କରିଥିବାର ଜଣାପଡିଛି । ସୁଧୀରଙ୍କ ମୃତ୍ୟୁ ପରେ ପତ୍ନୀ ଓ ଦୁଇ ପୁଅ ଦୁଃଖରେ ଭାଙ୍ଗି ପଡିଛନ୍ତି । ସ୍ନାତକ ପାଠ ପଢି ବି ନିଯୁକ୍ତି ଅଭାବରୁ ବେରୋଜଗାର ପାଲଟି ଥିବା ସୁଧୀରଙ୍କ ଅକାଳ ମୃତ୍ୟୁ ପରେ ପତ୍ନୀଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟ ସାପେକ୍ଷ । ଏହି ଦୁଃଖଦ ପରିବାରର ୩ ସଦସ୍ୟଙ୍କୁ ପ୍ରଶାସନ ସହାୟତାର ହାତ ବଢାଇବାକୁ ଗ୍ରାମ ବାସି ଦାବି କରିଛନ୍ତି ।