ମାଲକାନଗିରି, ୧୪/୮ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ୧୬ଜଣ ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ୧୬ଜଣ ମାଓବାଦୀ ଦାନ୍ତେୱାଡା ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଭିତରେ ୩ଜଣ ଦୁର୍ଦାନ୍ତ ମାଓବାଦୀ ଅଛନ୍ତି। ଏମାନଙ୍କ ନାଆଁରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏମାନେ ସମସ୍ତେ ଜନ ମିଲିକିଆ କମାଣ୍ଡର ଥିଲେ ବୋଲି ଜଣାଯାଇଛି। ଏମାନେ ହତ୍ୟା ଲୁଟପାଟ ଓ ଯାନବାହାନରେ ନିଆଁ ଲଗାଇବା ଭଳି ଅପରାଧ ସହ ଜଡ଼ିତ ଥିଲେ।
ଗତକାଲି ଏହି ୧୬ ମାଓବାଦୀ ଦାନ୍ତେୱାଡା ଆରକ୍ଷୀ ଅଧୀକ୍ଷକ ଅଭିଷେକ ପଲ୍ଲବଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ତା’ଛଡ଼ା ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଲାଗି ତାଲିମ ଦିଆଯିବ। ଏହାକୁ ଦାନ୍ତେୱାଡା ପୁଲିସର ବଡ଼ ସଫଳତା ବୋଲି କୁହାଯାଉଛି।