ଜାମ୍ମୁ, ୧୪/୮ : ଆଜି ସକାଳେ ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ନୱଗାଁଓରେ ଆତଙ୍କବାଦୀମାନେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୨ଜଣ ପୁଲିସ ସହୀଦ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ ପରେ ସମ୍ପୃକ୍ତ ଅଞ୍ଚଳକୁ ସେନା ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।
ସୂଚନା ଅନୁସାରେ, ନୱଗାଁଓ ବାଇପାସ୍ ଦେଇ ଯବାନମାନେ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ନିକଟରେ ଲୁଚି ରହିଥିବା ଆତଙ୍କବାଦୀମାନେ ପୁଲିସକର୍ମୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ୩ ପୁଲିସକର୍ମୀ ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ପୁଲିସକର୍ମୀଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣ ପରେ ଆତଙ୍କବାଦୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ।