ଆଜି ଭାରତ-ନେପାଳ ବୈଠକ

ନୂଆଦିଲ୍ଲୀ, ୧୭/୮ : ଉଭୟ ଦେଶ ମଧ୍ୟରେ ଚାଲୁଥିବା ସୀମା ବିବାଦ ସତ୍ତ୍ୱେ ଆଜି ଭାରତ-ନେପାଳ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ପୂର୍ବରୁ ନିର୍ଦ୍ଧାରିତ ହୋଇଛି । ନେପାଳର ବୈଦେଶିକ ସଚିବ ଏବଂ ଭାରତର ରାଷ୍ଟ୍ରଦୂତଙ୍କ ମଧ୍ୟରେ ଆଜି ଏହି ବୈଠକ ଅନୁଷ୍ଠିତ ହେବ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ସହ ଏହି ବୈଠକର କୌଣସି ସମ୍ପର୍କ ନାହିଁ। ସ୍ୱାଧୀନତା ଦିବସ ଅବସରରେ ନେପାଳ ପିଏମ କେପି ଓଲି ଶର୍ମା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଶୁଭେଚ୍ଛା ଦେବା ପରେ ଏହି ବୈଠକକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି।

ନେପାଳରେ ଚାଲିଥିବା ପ୍ରକଳ୍ପଗୁଡିକର ଅଗ୍ରଗତିକୁ ନେଇ ଦୁଇ ଦେଶ ମଧ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରାଯିବ । ଏହି ବୈଠକରେ ନେପାଳରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ନେପାଳ ବୈଦେଶିକ ମନ୍ତ୍ରୀ ଶଙ୍କେର ଦାସ ବୈରାଗୀଙ୍କ ସହ ଆଲୋଚନା କରିବେ । ସ୍ୱାଧୀନତା ଦିବସରେ କେପି ଓଲି ମୋଦିଙ୍କୁ ଭାରତର ଜାତିସଂଘର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ନେଇ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ମୋଦି ମଧ୍ୟ ମହାମାରୀ କୋରୋନା ସମୟରେ ନେପାଳକୁ ସମସ୍ତ ସହଯୋଗ କରିବେ ବୋଲି କହିଥିଲେ । ତେବେ ଉଭୟ ନେତାଙ୍କ ମଧ୍ୟରେ ସୀମା ବିବାଦ କଥା ହୋଇଛନ୍ତି ନା ନାହିଁ ସେକଥା ଜଣାପଡିନାହିଁ ।