ନୂଆଦିଲ୍ଲୀ : ଭାରତୀୟ ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଯଶରାଜଙ୍କର ପରଲୋକ ହୋଇଯାଇଛି। ଆମେରିକାରେ ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ‘ପଣ୍ଡିତଜୀ’ ଭାବରେ ପରିଚିତ ପଣ୍ଡିତ ଯଶରାଜ ଭାରତୀୟ ସଙ୍ଗୀତ ଜଗତର ଧ୍ରୁବତାରା ରୂପେ ପରିଗଣିତ ଓ ସେ ମେୱାନୀ ଘରାନା ସହ ସମ୍ପୃକ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଯଶରାଜଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ କହିଛନ୍ତି ଯେ ପଣ୍ଡିତ ଯଶରାଜଙ୍କ ଦୁଃଖଦ ବିୟୋଗ ଭାରତୀୟ ସାଂସ୍କୃତିକ ମଣ୍ଡଳରେ ଗଭୀର ଶୂନ୍ୟସ୍ଥାନ ସୃଷ୍ଟିକଲା। ତାଙ୍କର ଗାୟନ ଯେ ଖାଲି ଚମତ୍କାର ଥିଲା, ତାହା ନୁହେଁ, ଅନ୍ୟ କେତେଜଣ ଶସ୍ତ୍ରୀୟଶିଳ୍ପୀଙ୍କର ମଧ୍ୟ ସେ ଥିଲେ ଜଣେ ଅସାଧାରଣ ଗୁରୁ। ତାଙ୍କ ପରିବାର ଓ ବିଶ୍ୱବ୍ୟାପୀ ତାଙ୍କର ପ୍ରଶଂସକଙ୍କୁ ମୋର ସମବେଦନା। ଓଁ ଶାନ୍ତି।
ପଣ୍ଡିତ୍ ମହାରାଜଙ୍କ ଝିଅ ଦୁର୍ଗା ଯଶରାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆମେରିକୀୟ ସମୟ ସକାଳ ୫.୧୫ରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି ବୋଲି ଦୁର୍ଗା ଯଶରାଜ କହିଛନ୍ତି ।
ପଣ୍ଡିତ ମହାରାଜ ନିଜ ଜୀବନ କାଳରେ ପଦ୍ମ ବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ, ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ମାରୱାଡ଼ ସଙ୍ଗୀତ ରତ୍ନ ପୁରସ୍କାର ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୧୯୩୦ ଜାନୁଆରୀ ୨୮ ତାରିଖରେ ହିସାରରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ଯଶରାଜ ୪ ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ । ବଡ଼ଭାଇ ତାଙ୍କର ଲାଳନପୋଷଣ କରିଥିଲେ । ପିଲାଦିନେ ଯଶରାଜଙ୍କୁ ତାଙ୍କର ପିତା ପଣ୍ଡିତ ମୋତିରାମ ସଙ୍ଗୀତ ଶିକ୍ଷା ଦେଇଥିଲେ ଓ ପିତାଙ୍କ ପରଲୋକ ପରେ ଭାଇ ପଣ୍ଡିତ ପ୍ରତାପ ନାରାୟଣ ତବଲା ଶିକ୍ଷା ପ୍ରଦାନ କରିଥିଲେ । ୧୪ ବର୍ଷ ବୟସରେ ସେ ସଙ୍ଗୀତଗାନ ପ୍ରଶିକ୍ଷଣ ଆରମ୍ଭ କରିଥିଲେ ଓ ଏହାପୂର୍ବରୁ ତବଲା ବାଦନ ଶିକ୍ଷା ଶେଷ କରିଥିଲେ । ତାଙ୍କ ଜୀବନକାଳ ମଧ୍ୟରେ ପଣ୍ଡିତଜୀ ଭାରତ,କାନାଡ଼ା ଓ ଆମେରିକାରେ ସଙ୍ଗୀତ ଶିକ୍ଷା ଦେଇଥିଲେ ।