ମସଜିଦ ଭାଙ୍ଗି ଚୀନ ନିର୍ମାଣ କରୁଛି ଶୌଚାଳୟ

ବେଜିଂ: ଚୀନରେ କମ୍ୟୁନିଷ୍ଟ ସରକାର ପୁଣିଥରେ ମୁସଲିମ୍ ବିରୋଧୀ ମନୋଭାବ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ୱିଗର ମୁସଲମାନଙ୍କ ପରମ୍ପରା ଓ ସଂସ୍କୃତି ନଷ୍ଟ କରିବା ନିମନ୍ତେ ସିଂଜିୟାଙ୍ଗ ପ୍ରଦେଶରେ ମସଜିତ୍ ଭାଙ୍ଗି ସେହି ସ୍ଥାନରେ ସର୍ବସାଧାରଣ ଶୌଚାଳୟ ନିର୍ମାଣ କରାଯାଇଛି । ଏହି ଅଞ୍ଚଳରେ ଶୌଚାଳୟର କୌଣସି ଆବଶ୍ୟକତା ନ ଥିଲେ ମଧ୍ୟ ଚୀନ ସରକାର ଏପରି ପଦକ୍ଷେପ ଗ୍ରହଣ କରିଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ସିଂଜିୟାଙ୍ଗ ପ୍ରଦେଶର ସୁଂଗାଙ୍ଗ ଗାଁରେ ଥିବା ମସଜିଦକୁ କିଛି ମାସ ତଳେ ଭାଙ୍ଗି ଦିଆଯାଇଥିଲା ଓ ଏହାପରେ ଏଠାରେ ଶୌଚାଳୟ ନିର୍ମାଣ କରାଯାଇଛି ।

ଏହି ଗାଁର ପ୍ରତ୍ୟେକ ପରିବାରର ନିଜସ୍ବ ଶୌଚାଳୟ ରହିଛି । ଏହି ଗାଁକୁ କେହି ବାହାରର ଲୋକ ବା ପର୍ଯ୍ୟଟକ ଆସନ୍ତା ନାହିଁ । ଏହା ସତ୍ବେ ମସଜିଦ ଭାଙ୍ଗି ଶୌଚାଳୟ ନିର୍ମାଣ କରି ମୁସଲମାନମାନଙ୍କ ସଂସ୍କୃତିକୁ ନଷ୍ଟ କରିବାକୁ ଉଦ୍ୟମ ହୋଇଛି । ଗ୍ରାମବାସୀ କହିଛନ୍ତି ଯେ ସେମାନଙ୍କ ସଂସ୍କୃତିକୁ ପୁରା ନଷ୍ଟ କରାଯିବାକୁ ସରକାର ଯୋଜନା କରିଛନ୍ତି ଓ ଏହି ଅଞ୍ଚଳର ୭୦% ମସଜିଦ୍ ନଷ୍ଟ କରାଯାଇ ସାରିଲାଣି । ଏହା ପୂର୍ବରୁ ଅଜନା ଅଞ୍ଚଳରେ ଏକ ମସଜିଦ ଭଙ୍ଗା ଯାଇଥିଲା ଓ ସେହି ସ୍ଥାନରେ ଇସଲାମରେ ବାରଣ ହୋଇଥିବା ମାଦକ ସାମଗ୍ରୀ ମଦ ଓ ସିଗାରେଟ ଦୋକାନ ଖୋଲାଯାଇଛି ।

ୱିଗର ମୁସଲମାନ ମାନବାଧିକାର ପ୍ରକଳ୍ପ ନାମକ ସଂସ୍ଥା ଅନୁସାରେ ବେଜିଂ ସରକାର ଗତ ୩ ବର୍ଷରେ କେବଳ ସିଂଜିୟାଙ୍ଗ ପ୍ରଦେଶରେ ୧୦ହଜାରରୁ ୧୫ ହଜାର ମସଜିଦ୍ ନଷ୍ଟ କରିଛନ୍ତି । ସାଟେଲାଇଟ ଚିତ୍ରକୁ ଆଧାରକରି ଗାର୍ଡ଼ିଆନରେ ପ୍ରକାଶିତ ଏକ ଖବରରେ ଚୀନ ସରକାର ଟକଲାମକାନ ମରୁଭୂମିରେ ଏକ ଧାର୍ମିକ ସ୍ଥଳ ଭାଙ୍ଗି ଦିଆଯାଇଛି ଏହି ଧାର୍ମିକ ସ୍ଥଳ ହୋଟନ ଅଞ୍ଚଳର ମୁସଲମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଥିଲା । ମସଜିଦ ଭଙ୍ଗାଯିବା ପରେ ଏହି ସ୍ଥାନ ଶୂନଶାନ ହୋଇ ଯାଇଛି । ଚୀନରେ ପ୍ରାୟ ୨୨ ନିୟୁତ ମୁସଲମାନ ବସବାସ କରନ୍ତି ।