ସାଂସଦଙ୍କ ହସ୍ତକ୍ଷେପ ପରେ ବାହାର ବ୍ଲକ ହିତାଧିକାରୀଙ୍କୁ ମହାକାଳପଡ଼ାରେ ମିଳିଲା ଭତ୍ତା

ମହାକାଳପଡ଼ା, (କେଶବ ଚରଣ ନାଥ) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ପାଟଳିପଙ୍କ ପଂଚାୟତସ୍ଥ ଲୁଥରାନ ମହିଳା ସମିତି ପାଟଳିପଙ୍କ ଜରାନିବାସର ୬ ଜଣ ବାହାର ବ୍ଲକ ଅନ୍ତେବାସୀଙ୍କୁ ମହାକାଳପଡ଼ା ବ୍ଲକ ତରଫରୁ ଭତ୍ତା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କରୋନା ମହlମାରି ସମୟରେ ବିଭିନ୍ନ ଜରାନିବାସରେ ରହିଆସୁଥିବା ବିଭିନ୍ନ ବ୍ଲକ ଅଂଚଳର ଭତ୍ତା ହିତାଧିକାରୀ ମାନଙ୍କ ଭତ୍ତା ପାଇବା ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ । ଗୋଟିଏ ବ୍ଲକର ହିତାଧିକାରୀ ଅନ୍ୟ ଏକ ବ୍ଲକରେ ସ୍ଥାୟୀ ଭାବେ ରହି ଆସୁଥିଲେ ସେହି ବ୍ଲକରୁ ଭତ୍ତା ଯୋଗାଇ ଦେବା ନେଇ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିଥିଲେ ।

ସାଂସଦଙ୍କ ଦାବିକୁ ଯଥାର୍ଥ ମଣି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶ ମତେ ସ୍ଥାନୀୟ ବ୍ଲକ ପ୍ରଶାସନ ଜିଲ୍ଲାର ମାର୍ଶାଘାଇ, କେନ୍ଦ୍ରାପଡା, ଡେରାବିଶ, ଓ କେନ୍ଦ୍ରାପଡା ମୁନସିପାଲିଟି ଅଂଚଳର ୬ ଜଣ ଭତ୍ତା ହିତାଧିକାରୀଙ୍କୁ ପାଟଳିପଙ୍କ ଜରାନିବାସରେ ଭତ୍ତା ପ୍ରଦାନ କରିଛନ୍ତି । ବାହାର ବ୍ଲକର ୬ ଜଣ ଓ ସ୍ଥାନୀୟ ବ୍ଲକର ୭ ଜଣ ଭାବେ ସମୁଦାୟ ୧୩ ଜଣ ହିତାଧିକାରୀଙ୍କୁ ସ୍ଥାନୀୟ ବ୍ଲକ ପ୍ରଶାସନ ମାସିକ ଭତ୍ତା ବାବଦ ୫oo/- ଓ ସହାୟତା ରାଶି ୧ooo/- ସମୁଦାୟ ୧୫oo /- ଲେଖାଁଏ ପ୍ରଦାନ କରିଛନ୍ତି । ଭତ୍ତା ଟଙ୍କା ଆବଣ୍ଟନ ସମୟରେ ଡିଏସଏସଓ ପ୍ରଭାସ ଚନ୍ଦ୍ର ଦାସ, ବିଏସଏସଓ ସଂଗ୍ରାମ କେଶରୀ ବେଉରା, ସାଂସଦଙ୍କ ପ୍ରତିନିଧି ଖଗେନ୍ଦ୍ର ସାହୁ ଓ ମହିଳା ସମିତିର ମୁଖ୍ୟ କର୍ମକର୍ତା ପ୍ରଭାତ ଭୂୟାଁଆଦି ଉପସ୍ଥିତ ଥିଲେ । ସାଂସଦଙ୍କ ଉକ୍ତ ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ବିଶେଷ ପ୍ରଶଂସା କରାଯାଉଛି ।