ମୁମ୍ବାଇ : ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର । ହରିୟାଣାର ଫରିଦାବାଦରେ ଏଭଳି ଘଟଣାର ପର୍ଦ୍ଦାଫାସ ହୋଇଛି । ଗିରଫ ଦୁର୍ବୃତ୍ତର ନାଁ ହେଲା ରାହୁଲ ସାଙ୍ଗା ଓରଫ ବାବା । ଲକଡାଉନ୍ ଯୋଗୁଁ ଏହି ଷଡ଼ଯନ୍ତ୍ର ସଫଳ ହୋଇପାରିନଥିଲା। ଏହି ଷଡ଼ଯନ୍ତ୍ର ହରିୟାଣା,ପଞ୍ଜାବ ଏବଂ ରାଜସ୍ଥାନର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇର ଗ୍ୟାଙ୍ଗ ରଚିଥିଲା। ଗ୍ୟାଙ୍ଗର ଶାର୍ପ ସୁଟର ରାହୁଲ ଓରଫ ସାଙ୍ଗାକୁ ଫରିଦାବାଦ ପୁଲିସ୍ ଅଗଷ୍ଟ ୧୫ତାରିଖରେ ଉତ୍ତରାଖଣ୍ଡରୁ ଗିରଫ କରିଥିଲା। ରାହୁଲ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲା । ମୁମ୍ବଇରେ ସଲମାନଙ୍କ ଘରର ରେକି ବି କରିଥିବା ଜଣାପଡିଛି । ଗତ ଜାନୁଆରୀରୁ ସଲମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର କରାଯାଇଥିବା ସୂଚନା ମିଳିଛି । ଗ୍ୟାଙ୍ଗ ମୁଖ୍ୟ ଲରେନ୍ସ ବିଶ୍ନୋଇ ବର୍ତ୍ତମାନ ରାଜସ୍ଥାନ ଭରତପୁର ସେଣ୍ଟ୍ରାଲ ଜେଲରେ ସଜା କାଟୁଛି ।
ସୂଚନା ଅନୁସାରେ, ଫରିଦାବାଦ ପୁଲିସ ୨୭ବର୍ଷିୟ ସାର୍ପ ସୁଟର ରାହୁଲ ସାଙ୍ଗା ଓରଫ ବାବାକୁ ଗିରଫ କରିଛି । ପୁଲିସ କହିବା ଅନୁଯାୟୀ, ରାହୁଲ ଚଳିତ ବର୍ଷ ଜାନୁୟାରୀରେ ମୁମ୍ବଇର ବାନ୍ଦ୍ରା ଯାଇଥିଲା ଯେଉଁଠାରେ ସଲମାନ ଖାନଙ୍କ ଘର ରହିଛି । ରାଜସ୍ଥାନର ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ଲାରେନ୍ସ ବିଶ୍ନୋଇଙ୍କ ନିର୍ଦ୍ଦେଶରେ ସଲମାନ ଖାନଙ୍କ ଘର ଏବଂ ସଲମାନ ଖାନଙ୍କ ଗତିବିଧି ଉପରେ ତିନିଦିନ ଧରି ନଜର ରଖିବା ସହ ତାଙ୍କର ରେକି କରିଥିଲା । କୃଷ୍ଣସାର ମୃଗ ହରିଣ ଶିକାର ମାମଲାରେ ଏହି ଗ୍ୟାଙ୍ଗର ରାଡାରରେ ଥିଲେ ସଲମାନ ଖାନ ।