ମୁମ୍ବାଇ, ୧୯/୮ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଅଗଷ୍ଟ ୧୫ ତାରିଖରେ ଅଚାନକ କ୍ରିକେଟରୁ ତାଙ୍କର ସନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେବେ ଧୋନୀଙ୍କ ସମ୍ମାନରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ଫାରୱେଲ ମ୍ୟାଚ୍ ଆୟୋଜନ ଲାଗି ଯୋଜନା କରୁଥିବା ଜଣାପଡିଛି। ଆଗାମୀ ଆଇପିଏଲ ପରେ ଏହି ମ୍ୟାଚ୍ ଆୟୋଜନ କରାଯିବ, ତେବେ ତା ପୂର୍ବରୁ ଧୋନୀଙ୍କ ସହ ପରାମର୍ଶ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିସିସିଆଇଙ୍କ ଜନୈକ ଅଧିକାରୀ କହିଛନ୍ତି।
ଅଧକାରୀଙ୍କ କହିବା ଅନୁସାରେ ଏବେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ନାହିଁ। ତେବେ ଆଇପିଏଲ ପରେ ଏ ନେଇ କ’ଣ କରାଯାଇପାରିବ ସେ ନେଇ ବିଚାର କରାଯିବ। ଆମେ ଫାରୱେଲ ମ୍ୟାଚ୍ ଲାଗି ଆଗ୍ରହୀ, ତେବେ ଆଇପିଏଲ ସମୟରେ ଏ ନେଇ ତାଙ୍କ ସହ କଥାବାର୍ତ୍ତା କରାଯିବ ବୋଲି ବିସିସିଆଇ ଅଧିକାରୀ କହିଛନ୍ତି। ଫାରୱେଲ ଲାଗି ମ୍ୟାଚ୍ ଅଥବା ସିରିଜ୍ ଲାଗି ତାଙ୍କ ରାୟ ଜାଣିବାକୁ ଆଇପିଏଲ ସବୁଠୁ ଉପଯୁକ୍ତ ସମୟ ବୋଲି ସେ କହିଛନ୍ତି।