ମହାକାଳପଡ଼ା, (କେଶବ ଚରଣ ନାଥ) : କେନ୍ଦ୍ରାପଡା ଜିଲ୍ଲା ଉପକୂଳ ବ୍ଲକ ମହାକାଳପଡ଼ାର ଉପାନ୍ତ ବତୀଘର ପଂଚାୟତରେ ବଡ଼ଟୁବି ରିଟେଲରଙ୍କ ଅବହେଳାରୁ ଆଧାର ପଞ୍ଜିକୃତ କରିନପାରି ଗାଁର ଶହ ଶହ ରାସନକାର୍ଡର ହିତାଧିକାରୀ ମହାମାରୀ ସମୟରେ ରାସନ ସାମଗ୍ରୀରୁ ବଂଚିତ ହୋଇ ଭୋକ ଉପବାସରେ ଦିନ କାଟୁ ଥିବାର ଜଣାପଡିଛି ।
ସୂଚନା ଅନୁସାରେ ପ୍ରକାଶ ରିଟେଲିଙ୍ଗ ମହିଳାଗୋଷ୍ଠୀ ଓ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖାରୁ ଅଧିକାଂଶ ରାସନକାର୍ଡ ଧାରୀ ପରିବାରର ହିତାଧିକାରୀ ମାନେ ଆଧାର ଅଣପଞ୍ଜିକୃତ ପାଇଁ ରାସନ ସାମଗ୍ରୀ ରୁ ବଂଚିତ ଅଛନ୍ତି । ମହାମାରୀ ସମୟରେ ସରକାରୀ କଟକଣାକୁ ମାନି ଜୀବିକା ହରାଇବା ସହିତ ଏପଟେ ରାସନ ସାମଗ୍ରୀରୁ ବଂଚିତ ସେମାନଙ୍କ ପାଇଁ ବେଡି ଉପରେ କୋରଡ଼ା ଭଳି ଲଦିହୋଇ ଯାଉଛି । ଜୀବନ ନିର୍ବାହରେ ଅତିଷ୍ଠ ହୋଇ ଖାଦ୍ୟ ସୁରକ୍ଷା ଯୋଜନରେ ନିଜ ନିଜର ହକ ପାଇବାରେ ଅସହଯୋଗ କରୁଥିବା ରିଟେଲର ତଥା ସ୍ଥାନୀୟ ବୀଣାପାଣି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ବିଡ଼ିଓଙ୍କୁ ଅଭିଯୋଗ କରିଛନ୍ତି । ବହୁବାର ଗୋଷ୍ଠିକୁ ଆଧାର ଜେରକ୍ସ ଦେବା ପରେ ବି ଗୋଷ୍ଠୀ କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁ ଏଯାବତ ପଞ୍ଜିକୃତ ହୋଇପାରିନାହିଁ । ଯାହାନେଇ ସମ୍ପୃକ୍ତ ପରିବାରର ମହିଳାମାନେ ନିଜ ନିଜର କାର୍ଡ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ଆଧାର ଜେରକ୍ସ ଧରି ବିଡ଼ିଓଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ବିଡ଼ିଓ ମହୋଦୟ ଯୋଗାଣ କର୍ମଚାରିଙ୍କୁ ଆଧାର ପଞ୍ଜିକରଣ କରାଇ ରାସନ ସାମଗ୍ରୀ ଯୋଗାଇ ଦେବାର ପ୍ରତିଶୃତି ଦେଇଥିବାର ଜଣାପଡିଛି ।