ଜମ୍ମୁ-କଶ୍ମୀରରୁ ୧୦ ହଜାର ସୁରକ୍ଷା କର୍ମୀଙ୍କୁ ପ୍ରତ୍ୟାହାର

ଶ୍ରୀନଗର : ଜମ୍ମୁ-କଶ୍ମୀରରୁ ୧୦ ହଜାରରୁ ଉର୍ଦ୍ଧ୍ୱ ସୁରକ୍ଷା ବଳ କର୍ମୀଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ହୋଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହି ସୁରକ୍ଷା କର୍ମୀମାନଙ୍କ ମଧ୍ୟରୁ ଅଧିକାଂଶ ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ପୂର୍ବରୁ ନିୟୋଜିତ ହୋଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ନିର୍ଦ୍ଦେଶରେ ଆହୁରି ବି ଜମ୍ମୁ କାଶ୍ମୀରରୁ ଖୁବ୍‌ ଶୀଘ୍ର ସିଏପିଏଫ୍‌ର ୧୦୦ଟି କମ୍ପାନିକୁ ପ୍ରତ୍ୟାହାର କରି ସେମାନଙ୍କୁ ସେମାନଙ୍କ ନିଜ ନିଜ ସ୍ଥାନକୁ ଫେରାଇ ନେବାକୁ କୁହାଯାଇଛି।

୨୦୧୯ ଅଗଷ୍ଟ ମାସରେ ଜମ୍ମୁ-କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବଳର ୪୦୦ ଅତିରିକ୍ତ କମ୍ପାନିକୁ ନି‌ୟେ‌ାଜିତ କରିଥିଲା। ଅଗଷ୍ଟ ୪ ତାରିଖରେ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ସହ ବହୁ ରାଜନୈତିକ ନେତାଙ୍କୁ ଅଟକ ରଖା ଯାଇଥିଲା।

ଇତି ମଧ୍ୟରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୧ ବର୍ଷ ବିତିଗଲାଣି। ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରୁ ‌ଅନେକ କଟକଣା ‌କୋହଳ ହୋଇଛି। ଅଟକ ରଖା ଯାଇଥିବା ଅନେକ ରାଜନୈତିକ ନେତାଙ୍କୁ ମୁକ୍ତ କରାଯାଇଛି। ବିଭିନ୍ନ ଅଞ୍ଚଳରେ ଯୋଗାଯୋଗ ପୁଣି ଥରେ ପୂର୍ବ ପରି ହୋଇଛି। ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଜମ୍ମୁ-କଶ୍ମୀରର ଅନ୍ୟ ଅଞ୍ଚଳର ସୁରକ୍ଷା ସ୍ଥିତିର ସମୀକ୍ଷା ପରେ ଏହି ୧୦ ହଜାର ସୁରକ୍ଷା କର୍ମୀଙ୍କୁ ପ୍ରତ୍ୟାହାର କରିବାର ନିଷ୍ପତ୍ତି ନିଆଯାଇଛି।