ଲଘୁଚାପ ବର୍ଷା: ବୈତରଣୀ ଫୁଲୁଛି, ବିପଦ ସଂକେତ ଟପିଲା ଜଳକା

ଭୁବନେଶ୍ୱର, ୨୦/୮ : ବିଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଆଖୁଆପଦା ଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ରହିଛି । ଆଜି ସକାଳ ୭ଟା ସୁଦ୍ଧା ଏଠାରେ ୧୭.୫୬ ମିଟର ଥିଲା । ଘଣ୍ଟାକୁ ୦.୮୯ ମିଟର ଅନୁଯାୟୀ ବୈତରଣୀ ବଢ଼ିବାରେ ଲାଗିଛି । ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଥିବାରୁ ବିଭିନ୍ନ ବ୍ଲକର ତଳିଆ ଅଂଚଳର ଚାଷ ଜମି ଜଳମଗ୍ନ ହୋଇଛି ।

ସେହିପରି ଉପର ମୁଣ୍ତରେ ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ମଥାନିରେ ଜଳକାରେ ବିପଦ ସଂକେତ ଅତିକ୍ରମ କରିଛି । ଏଠାରେ ବିପଦ ସଂକେତ ୫.୫ ମିଟର ଥିବା ବେଳେ ଜଳସ୍ତର ୬.୬ ମିଟର ରହିପାରିବ । ଫଳରେ ବନ୍ୟା ଆଶଙ୍କା ଯୋଗୁଁ ତଳିଆ ଅଂଚଳର ଲୋକେ ଆତଙ୍କିତ ହୋଇଛନ୍ତି ।

ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାରୁ ୨୩ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବଲାଙ୍ଗୀର, ନବରଙ୍ଗପରୁ, ନୂଆପଡ଼ା, କଳାହାଣ୍ଡି, କଟକ ସହତ ସମେତ କଟକ ଜିଲ୍ଲା, ଭୁବନେଶ୍ୱର ସମତେ ଖୋର୍ଦ୍ଧା ଜିଲ୍ଲା, ନୟାଗଡ଼, ପୁରୀ, ଢେଙ୍କାନାଳ, ଯାଜପୁର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, କେରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, କନ୍ଧମାଳ, ଅନୁଗୁଳ ଓ ଦେବଗଡ଼କୁ ସତର୍କ ସୂଚନା ଦିଆଯାଇଛି ।