ସେନା ଏନକାଉଣ୍ଟର : ଲସ୍କର-ଏ-ତଇବାର କମାଣ୍ଡର ନାସୀରୁଦ୍ଦିନ ଲୋନ ସମେତ ୩ ଆତଙ୍କବାଦୀ ନିହତ

ଶ୍ରୀନଗର, ୨୦/୮ : ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା । ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀର ଯବାନମାନେ ଏକକାଳୀନ ୨ଟି ସ୍ଥାନରେ ଏନକାଉଣ୍ଟର କରି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଇବାର ଜଣେ ଶୀର୍ଷ କମାଣ୍ଡର ସମେତ ୩ ଜଣ ସଦସ୍ୟଙ୍କୁ ନିହତ କରିଛନ୍ତି । ପୋଲିସ କହିଛି ଯେ, ଜଣେ ଆତଙ୍କବାଦୀ ଶୋପିଆରେ ନିହତ ହୋଇଛି । ସେହିଭଳି ଲସ୍କର-ଏ-ତଇବାର କମାଣ୍ଡର ନାସୀରୁଦ୍ଦିନ ଲୋନ ସମେତ ୨ ଜଣ ଆତଙ୍କବାଦୀ ପୁପୱାଡାରେ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ଲୋନ ଚଳିତ ବର୍ଷ ଆରମ୍ଭରୁ ସିଆରପିଏଫର ୬ ଜଣ ଯବାନଙ୍କ ଜୀବନ ନେବାରେ ସାମିଲ ଥିଲା ।

ପୋଲିସ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଶୋପିଆର ଚିତ୍ରଗାମ ଗାଁରେ ଆତଙ୍କବାଦୀମାନେ ଲୁଚି ରହିଥିଲେ । ଗୋପନୀୟ ଭାବେ ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳକୁ ଘେରାବନ୍ଦୀ କରିଥିଲେ । ତଲାଶୀ ଅଭିଯାନ ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ସେ କହିଛନ୍ତି ଜବାବୀ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ଅଧିକାରୀ କହିଛନ୍ତି, ଆତଙ୍କବାଦୀଙ୍କ ପରିଚୟ ମିଳି ନାହିଁ । ସେନାର ଜଣେ ମୁଖପାତ୍ର କହିଛନ୍ତି, ଏନକାଉଣ୍ଟର ସ୍ଥଳରୁ ଏକ ପିସ୍ତଲ, ୬ଟି ଗୁଳି, ଏକ ୟୁବିଡିଜିଏଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।