ଭୁବନେଶ୍ୱର, ୨୦/୮ : ଆଜି ନୂଆଦିଲ୍ଲୀରେ ସ୍ୱଚ୍ଛ ସର୍ବେକ୍ଷଣ -୨୦୨୦ର ଫଳାଫଳ ପ୍ରକାଶ ପାଇଛି। ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରି ଦେଶବ୍ୟାପି କରାଯାଇଥିବା ସ୍ୱଚ୍ଛତା ସର୍ବେକ୍ଷଣର ଫଳାଫଳ ଘୋଷଣା କରିଛନ୍ତି | ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ରେ ଓଡିଶାକୁ ‘ଦ୍ରୁତତମ ଗତିଶୀଳ ରାଜ୍ୟ’ ଭାବରେ ସ୍ବୀକୃତି ଦିଆଯାଇଛି। ସ୍ୱଚ୍ଛତା ହାସଲ କ୍ଷେତ୍ରରେ ଓଡ଼ିଶା ସର୍ବାଧିକ ବେଗରେ ଆଗକୁ ବଢ଼ୁଥିବା ରାଜ୍ୟର ମାନ୍ୟତା ଲାଭ କରିଛି।
ଏଥିସହ ଏହି ସର୍ବେକ୍ଷଣରେ ଓଡିଶା ୮ମ ସ୍ଥାନ ଅଧିକାର କରିଛି। ୨୦୧୮ ଏବଂ ୨୦୧୯ ରେ ରାଜ୍ୟ ଯଥାକ୍ରମେ ଦେଶରେ ୨୨ ଏବଂ ୧୬ତମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ସ୍ୱଚ୍ଛ ସର୍ବେକ୍ଷଣ ମାନ୍ୟତାରେ ଓଡିଶା ୮ମ ସ୍ଥାନ ଅଧିକାର କରିଛି। ଏହା ବ୍ୟତୀତ ୩-୧୦ ଲକ୍ଷ ଜନସଂଖ୍ୟା ଥିବା ସହର ବର୍ଗରେ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନକୁ ‘ବେଷ୍ଟ ମିଡିୟମ ସିଟି ଇନ ଇନୋଭେସନ୍ ଆଣ୍ଡ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର ମିଳିଛି |
ରାଜ୍ୟର ଏହି ସଫଳତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ରାଜ୍ୟର ସହରଗୁଡ଼ିକୁ ସ୍ବଚ୍ଛ ଏବଂ ଜୀବନଧାରଣ ଲାଗି ଯୋଗ୍ୟ କରିବା ଲାଗି ବିଭାଗ ନିରନ୍ତର ଉଦ୍ୟମ ଜାରି ରଖିଛି ବୋଲି କହିଛନ୍ତି।
କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ ଜାନୁୟାରୀ ୨୦୧୬ରେ ସ୍ୱଚ୍ଛତା ଅନୁସାରେ ସହରକୁ ଶ୍ରେଣୀଭୁକ୍ତ କରିବା ପାଇଁ ୭୩ ସହରର ସର୍ବେକ୍ଷଣ କରାଯାଇଥିବା ବେଳେ ୨୦୧୭ରେ ୪୩୪ଟି ସହର ଏବଂ ୨୦୧୮ରେ ୪୨୦୩ ସହରକୁ ନେଇ ସର୍ବେକ୍ଷଣ କରାଯାଇଥିଲା | ୨୦୧୯ରେ ଏହି ସଂଖ୍ୟା ବଢିବା ସହ ୪୨୩୭ ସହରର ସର୍ବେକ୍ଷଣ କରାଯାଇଥିବା ବେଳେ ୨୦୨୦ରେ ସମୁଦାୟ ୪୨୪୨ସହର ସ୍ୱଚ୍ଛ ସର୍ବେକ୍ଷଣରେ ସାମିଲ୍ କରାଯାଇଥିଲା ବୋଲି ଜଣାପଡିଛି |