ନୂଆଦିଲ୍ଲୀ, ୨୦/୮ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୧୫ ଅଗଷ୍ଟ ଶନିବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏହା ପରେ ତାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ସାଧାରଣ କ୍ରିକେଟ ପ୍ରେମୀଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଧୋନିଙ୍କ ପ୍ରସଂଶା କରିବାରେ ବ୍ୟସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଧୋନିଙ୍କ ପ୍ରସଂଶାରେ ଶତମୁଖ ହୋଇଯାଇଛନ୍ତି ।
ଧୋନିଙ୍କୁ ଏକ ବ୍ୟକ୍ତିଗତ ପତ୍ର ଲେଖି ମୋଦୀ ଭାରତୀୟ କ୍ରୀଡ଼ା ଜଗତରେ ଧୋନିଙ୍କ ବଡ଼ ପ୍ରଭାବ ପକାଇଛନ୍ତି ବୋଲି କହିଛନ୍ତି । କେବଳ ଜଣେ ଭଲ ଖେଳାଳି ନୁହନ୍ତି, ଧୋନି ମଧ୍ୟ ଜଣେ ଭଲ ମଣିଷ । ସେ ମଧ୍ୟ ଭାରତୀୟ ସେନାକୁ ଭଲ ପାଆନ୍ତି ବୋଲି ମୋଦୀ ଦର୍ଶାଇଛନ୍ତି । ଧୋନୀଙ୍କୁ କେବଳ ଜଣେ ଭଲ ଖେଳାଳି କୁହାଗଲେ ତାହା ତାଙ୍କ ପ୍ରତି ଅନ୍ୟାୟ ହେବ ବରଂ ତାଙ୍କର ଆଗମନ ଭାରତୀୟ କ୍ରିକେଟ ଜଗତ ଲାଗି ଏକ ବଡ଼ ଘଟଣା ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ପତ୍ର ପାଇଁ ଧୋନି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ସମୟରେ ଭାରତ ବିଶ୍ୱକପ କ୍ରିକେଟ, ଟି-୨୦ ବିଶ୍ୱକପ କ୍ରିକେଟ, ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିବା ସହିତ ଦୁଇଥର ଏସିଆ କପ ମଧ୍ୟ ଜିଣିଥିଲା। କେବଳ ସେତିକି ନୁହେଁ, ଟେଷ୍ଟ କ୍ରିକେଟରେ ଏକ ନମ୍ବର ମାନ୍ୟତା ପାଇଥିଲା ଟିମ୍ ଇଣ୍ଡିଆ । ଧୋନି ୨୦୧୧ ବିଶ୍ୱକପ ବିଜୟ ପରେ କିଛି ଦିନ ଭାରତୀୟ ସେନାରେ ମଧ୍ୟ କାର୍ଯ୍ୟ କରିଥିଲେ ।