୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ଜୟପୁର, ୨୦/୮ : କୋରାପୁଟ ଜିଲ୍ଲାର କୋଟପାଡ ନିକଟରୁ ବୋରିଗୁମ୍ମା ପୋଲିସ ଚୋରା ଚାଲାଣ ହେଉଥିବା ୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ବିହାରକୁ ଏକ ଟ୍ରକ୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କୌଣସି ସୂତ୍ରରୁ ଖବର ପାଇ ପାର୍ଲି ନିକଟରେ ପହଞ୍ଚି ଏକ ଟ୍ରକକୁ ଯାଞ୍ଚ କରିଥିଲେ ।

ଯାଞ୍ଚ ପରେ ଟ୍ରକରେ ୭ ବସ୍ତା ଗଞ୍ଜେଇ ବୋଝେଇ ହୋଇଥିବା ଜଣାପଡିଥିଲା । ସମସ୍ତ ଗଞ୍ଜେଇକୁ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ପରିମାଣ ୪.୭୫ କ୍ବିଣ୍ଟାଲ । ଏହାର ବଜାର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି ବୋରିଗୁମ୍ମା ଏସଡିପିଓ ସୂଚନା ଦେଇଛନ୍ତି । ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ଟ୍ରକକୁ ସିଜ୍ କରିଛି ପୋଲିସ ।

ଗଞ୍ଜେଇ ଚାଲାଣରେ ଜଡିତ ଥିବା ଦୁଇ ଜଣକୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ବିହାର ଅଞ୍ଚଳର ଲାଲନ ପଣ୍ଡିତ ଓ ଚନ୍ଦନ କୁମାର ରମ । ଏମାନଙ୍କ ନିକଟରୁ ଦୁଇଟି ମୋବାଇଲ, ଅନେକ କାଗଜପତ୍ର ସମେତ ୫ ହଜାର ଟଙ୍କା ଜବତ ହୋଇଛି । ତେବେ ଏହି ଗଞ୍ଜେଇ ଚାଲାଣରେ ଜଡିତ ଥିବା ମାଷ୍ଟର ମାଇଣ୍ଡ ଏବଂ ଟ୍ରକ୍ ମାଲିକଙ୍କୁ ଠାବ କରାଯାଉଛି ବୋଲି ଏସଡିପିଓ କହିଛନ୍ତି ।