ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯିବ ପୁରୀ ବଗଲା ଧର୍ମଶାଳା

ପୁରୀ,୨୦ /୮: ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯିବ ବଗଲା ଧର୍ମଶାଳାର ପରିଚୟ। ଦାନରେ ମିଳିଥିବା ଧର୍ମଶାଳା ଜମିରେ ନିର୍ମାଣ ହେବ ୨୬ଟି ବ୍ୟବସାୟିକ ଅଟ୍ଟାଳିକା। ସ୍ବଳ୍ପ ମୂଲ୍ୟରେ କୋଠରି ପାଇବାରୁ ବଞ୍ଚିତ ହେବେ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ । ପୁରୀ ବଡ଼ଦାଣ୍ଡରେ ରହିଥିବା ବଗଲା ଧର୍ମଶାଳା ଜମି ବିକ୍ରି ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ରହିଥିବା ସନ୍ଦେହ କରାଯାଉଛି। କେବଳ ସେତିକି ନୁହେଁ, ସେଠାରେ ଥିବା ଧର୍ମଶାଳାର ଆଉ ଏକ କୋଠା ଭାଙ୍ଗି ଜମି ସମତଳ କରିବାକୁ ସଂପ୍ରତି ପୁରୀ ଜିଲାପାଳ ଏକ ଚିଠି ଯୋଗେ ଓଡ଼ିଶା ସେତୁ ଏବଂ ନିର୍ମାଣ ନିଗମକୁ ଅନୁରୋଧ କରିଛନ୍ତି। ଧର୍ମଶାଳା ପୁନଃନିର୍ମାଣ ନାମରେ ୩ବର୍ଷ ତଳେ ଗୋଟିଏ କୋଠା ଭଙ୍ଗା ଯାଇଥିଲା। ପୁନଃନିର୍ମାଣ ପରିବର୍ତ୍ତେ ତାହାକୁ ଖଣ୍ଡ ଖଣ୍ଡ କରି ୬ ଜଣ ଲଜିଂ ମାଲିକଙ୍କ ହାତରେ ଟେକି ଦିଆଯାଇଛି। ସେଠାରେ ଥିବା ଧର୍ମଶାଳାର ଆଉ ଏକ କୋଠା ଭାଙ୍ଗିବା ପାଇଁ ଜିଲାପାଳ ଚିଠି ଲେଖିଥିବା ଜଣାପଡ଼ିଛି। ତାହାକୁ ଯଦି ଭାଙ୍ଗି ଦିଆଯାଏ ବଗଲା ଧର୍ମଶାଳାର ପରିଚୟ ସବୁଦିନ ପାଇଁ ଲୋପ ପାଇଯିବ। ଲଜିଂ ମାଲିକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଧର୍ମଶାଳା ଜମି ବିକ୍ରି କରାଯାଇଥିବା ନଥିପତ୍ର ଲୋକଲୋଚନକୁ ଆସିଛି।

ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାକୁ ପୂର୍ବତନ ଆଇନମନ୍ତ୍ରୀ ମହେଶ୍ବର ମହାନ୍ତି, ପୂର୍ବତନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ପୂର୍ବତନ ନଗରପାଳ ସୁରେନ୍ଦ୍ରନାଥ ଦାଶ ବିରୋଧ କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତିର ପରିବର୍ତ୍ତନ କରିବା ସହ ବିକ୍ରି କବଲା ବାତିଲ କରି ସେଠାରେ ଧର୍ମଶାଳା ପୁନଃନିର୍ମାଣ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ବୁଧବାର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ହୋଇଥିବା ୬ଜଣ ଲଜିଂ ମାଲିକଙ୍କୁ ରାଜସ୍ବ ବିଭାଗ ନାମରେ ରେକର୍ଡ ହୋଇଥିବା ବଗଲା ଧର୍ମଶାଳା ଜମି ବିକ୍ରି କରାଯାଇଥିବା ସେ ପ୍ରକାଶ କରିଛନ୍ତି।