ମହାକାଳପଡ଼ା – (କେଶବ ଚରଣ ନାଥ) : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ବ।ରଡାଙ୍ଗ ଗ୍ରାମର ନିଃସହାୟ ରାଧିକା ୯୦ ବର୍ଷ ବୟସରେ ଜୀବନ ବଞ୍ଚିବା ପାଇଁ ସଂଗ୍ରାମ ଜାରି ରଖିଥିବାର ଜଣାପଡିଛି । ବିଧବା ଭତ୍ତା ଓ ପାଞ୍ଚ କିଲୋ ରାସନ ଚାଉଳକୁ ଭରସା କରି ସଂଗ୍ରାମ ଜାରି ରଖିଛନ୍ତି ରାଧିକା । ୧୦ ବର୍ଷର ପୁଅ ଓ ସ୍ଵାମୀ ଦନେଇ ପ୍ରଧାନଙ୍କୁ ହରେଇବା ପରେ ଏକ ମାତ୍ର କନ୍ୟା ବାସନ୍ତୀଙ୍କୁ ଭରସା କରି ଚଳୁଥିଲେ। ପରବର୍ତ୍ତୀ ସମୟରେ ବାସନ୍ତୀ ବିବାହ କରିବାର କିଛି ଦିନ ପରେ ମରିଯିବାରୁ ବୃଦ୍ଧା ଜଣଙ୍କ ନିଃସହାୟ ହୋଇ ପଡିଛନ୍ତି ।
ସରକାରଙ୍କ ବସୁନ୍ଧରା ଓ ପକ୍କା ଗୃହ ଯୋଜନାରେ ସାମିଲ ହୋଇ ପାରି ନ ଥିବାରୁ ପରିତ୍ୟକ୍ତ ସରକାରୀ କଚେରୀ ଗୃହ ତାଙ୍କର ବର୍ତ୍ତମାନ ର ଆଶ୍ରୟ ସ୍ଥଳୀ ପାଲଟିଛି । ମିଳୁଥିବା ରାସନ ଚାଉଳ ରୋଷେଇ କରିବାର ସାମର୍ଥ୍ୟ ନ ଥିବାରୁ ଆଶ୍ରୟସ୍ଥଳୀ ପାଖ ହନୁମାନ ଓ ଶନି ମନ୍ଦିର କୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପ୍ରସାଦ ତାଙ୍କର ଭୋକ ମେଣ୍ଟଉଥିବାର ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏତତ ବ୍ୟତୀତ କେହି ଗ୍ରାମ ଲୋକ ଦୟା ଦେଖାଇ ଆଶାବାଡି ସଦୃଶ ଧରି ନେଇ ଘରେ ଖୁଆଇ ଆଣି ଛାଡୁଥିବା ବେଳେ ବୃଦ୍ଧା ଝଡି ବଢି ସମୟରେ ଉପବାସରେ ଦିନ କାଟୁଛନ୍ତି । ପ୍ରଶାସନ ଆଢୁଆଳରେ ରହିଜାଉଥିବା ରାଧିକାର ଅବଶିଷ୍ଟ ଜୀବନ ଜଣେ ସାଧାରଣ ମଣିଷ ଭଳି କିଭଳି ଅତିବାହିତ ହୋଇ ପାରିବ ସ୍ଥାନୀୟ ପ୍ରଶାସନ ବ୍ୟବସ୍ତା କରିବାକୁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।