ଧୋନି ମୋଠାରୁ ଭଲ ଅଧିନାୟକ : ରିକି ପଣ୍ଟିଂ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଓ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବ ଶୈଳୀରେ ଅନେକ ସାମଞ୍ଜସ୍ୟ ଥିଲା ବୋଲି ବହୁ ପୂର୍ବତନ କ୍ରିକେଟର ମତ ଦେଇଛନ୍ତି। ନିଜେ ପଣ୍ଟିଂ କିନ୍ତୁ ସେମାନଙ୍କର ଏହି ଆକଳନ ସହ ଏକମତ ହୋଇ ନାହାନ୍ତି। ଏକ ଅସାଧାରଣ କଳା ପାଇଁ ଧୋନି ତାଙ୍କଠାରୁ ଭଲ ଅଧିନାୟକ ଥିଲେ ବୋଲି ପଣ୍ଟିଂ ସଙ୍କେତ ଦେଇଛନ୍ତି। ଧୋନି ଓ ତାଙ୍କ ନେତୃତ୍ବ ଶୈଳୀରେ ଥିବା ଏକମାତ୍ର ପାର୍ଥକ୍ୟକୁ ବର୍ଣ୍ଣନା କରିବାକୁ ଯାଇ ପଣ୍ଟିଂ କହିଛନ୍ତି ଯେ, ଧୋନି କେବେବି ନିଜ ଭାବନାକୁ ନିୟନ୍ତ୍ରଣ ବାହାରକୁ ଯିବାକୁ ଦେଉ ନଥିଲେ। ପଡ଼ିଆ ଭିତରେ ଥିଲା ବେଳେ ସମ୍ଭବତଃ ମୁଁ ମୋ ଭାବନାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହେଉଥିଲି।

ଧୋନିଙ୍କ ନେତୃତ୍ବରେ ଭାରତୀୟ ଦଳ ସବୁବେଳେ ଲିଫ୍ଟରେ ଉପରକୁ ଉଠିବା ଭଳି ଲାଗୁଥିଲା । ଖେଳାଳିଙ୍କ ଶ୍ରେଷ୍ଠ ଗୁଣକୁ ଚିହ୍ନି ତାଙ୍କଠାରୁ ପ୍ରଦର୍ଶନ ଆଦାୟ କରିବାର କଳା ବି ଧୋନିଙ୍କୁ ଭଲ ଭାବରେ ଜଣାଥିଲା । ସେ କୌଣସି କଥାକୁ ନିୟନ୍ତ୍ରଣ ବାହାରକୁ ଯିବାକୁ ଦେଉ ନଥିଲେ । ସାଥୀ ଖେଳାଳିମାନେ ତାଙ୍କର ଏହି ଗୁଣକୁ ସମ୍ମାନ ଦେବା ସହ ପସନ୍ଦ ବି କରୁଥିଲେ । ମୁଁ ଏବେ ଭାରତରେ ବହୁତ ସମୟ କଟାଉଛି । ଧୋନିଙ୍କୁ ଏଠାକାର ପ୍ରଶଂସକ କିଭଳି ଭାବେ ଭଲ ପାଆନ୍ତି, ତାହା ହୃଦୟଙ୍ଗମ କରି ପାରୁଛି । ଏପରିକି ଆପଣ ଯେତେବେଳେ ଅନ୍ୟ ଦେଶରେ ବି ଭ୍ରମଣ କରନ୍ତି, ସମସ୍ତେ ଧୋନି ଏବଂ ତାଙ୍କ ଶାନ୍ତ ସରଳ ସ୍ବଭାବ କଥା କୁହନ୍ତି ।

ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ପ୍ରଶିକ୍ଷକ ଅଛନ୍ତି । ସେପଟେ ଚେନ୍ନାଇ ସୁପରକିଙ୍ଗ୍ସକୁ ଧୋନି ଆଇପିଏଲ୍‌ର ଅନ୍ୟତମ ସଫଳ ଦଳ ଭାବେ ଗଢ଼ି ତୋଳିଛନ୍ତି। ଆସନ୍ତା ଆଇପିଏଲ୍‌ରେ ଧୋନି ଯେମିତି ତାଙ୍କ ବ୍ୟାଟିଂ ବଳରେ ଚେନ୍ନାଇକୁ କୌଣସି ମ୍ୟାଚ୍ ଜିତାଇ ନପାରନ୍ତି, ସେ ଯୋଜନା ଆମେ କରିବୁ ବୋଲି ପଣ୍ଟିଂ କହିଛନ୍ତି।