ମହାକାଳପଡ଼ା – (କେଶବ ଚରଣ ନାଥ ) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ବତୀଘର, ରାମନଗର,ବଉଳକଣି, ଖରିନାସୀ, ଜମ୍ବୁ, ସୁନୀତି, ଲାଂଜୁଡା ଆଦି ସମୁଦ୍ର କୁଳିଆ ପଂଚାୟତରେ ଅଧିକାଂଶ ମତ୍ସ୍ୟଜିବି ପରିବାର ବସବାସ କରନ୍ତି । କେତେକ ପରିବାରର ନିଜସ୍ୱ ବୋଟ ଥିବା ବେଳେ ଅନ୍ୟ କେତେକ ବୋଟରେ ମଜୁରିଆ ଭାବେ ଫିସିଙ୍ଗ କରି ଜୀବିକା ନିର୍ବାହ କରନ୍ତି । ବର୍ଷରେ ଚାରି ମାସରୁ ଅଧିକ ଦିନ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷିତ ପ୍ରଜନନ ନେଇ ବନବିଭାଗ ନିଷେଧାଜ୍ଞା ରହୁଥିବା ବେଳେ ବଳକା ସମୟରେ ଫିସିଙ୍ଗ କରି ଜୀବିକା ବଞ୍ଚାଇବା କଷ୍ଟ ସାପେକ୍ଷ । ଏହି ପରିପେକ୍ଷୀରେ ଚଳିତ ବର୍ଷ ନିଷେଧାଜ୍ଞା ପରେ କୋଭିଡର କଟକଣା ପୂର୍ଣମାତ୍ରାରେ ମତ୍ସ୍ୟ ଜିବି ପରିବାରର ଜୀବନ ଜୀବିକାକୁ ପ୍ରଭାବିତ କରିଛି . । ଯାହାନେଇ ଅନଲକ ଘୋଷଣା ପରେ ବି କେହି ବି ମାଛ ମାରିଯିବାକୁ ସାହସ ଜୁଟାଇ ପାରିଲେନି । ପରବର୍ତ୍ତୀ ସମୟରେ ପରିବାର ବୋଝ ଅସମ୍ଭାଳ ହେବାରୁ କରୋନା ସଂକ୍ରମଣକୁ ବେଖାତିର କରି ମତ୍ସ୍ୟଜିବି ମାନେ ଜୀବିକା ନେଇ ସମୁଦ୍ରକୁ ବାହାରି ଯାଇଥିଲେ ।

ଶ୍ରାବଣ ମାସରେ ସମୁଦ୍ର ମୁହାଣରେ ଇଲିଶି ମାଛ ମାରିବାକୁ ଉପାନ୍ତ ଅଂଚଳ ମତ୍ସ୍ୟ ଜିବି ଖୁସି ମନରେ ଜାଲ ବିଛାଇ ଅପେକ୍ଷା କରିଥିଲେ । ଋତୁକାଳୀନ ରୋଜଗାର କରି ଘରେ ବସିରହିଥିବା ଦିନର ମୂଲ ଭରଣା କରିବାର ଲକ୍ଷ୍ୟ ରଖିଥିଲେ । ମାତ୍ର ଶ୍ରାବଣ ଯାଇ ଭାଦ୍ରବରେ ବି ଇଲିଶି ମାଛର ଦେଖା ନପାଇ ମତ୍ସ୍ୟ ଜିବି ହତାଶ ହୋଇଛନ୍ତି । ଆର୍ଥିକ ସଙ୍କଟ ପରିହାର ଆଶାରେ ଦରିଆକୁ ଯାଉଥିବା ମତ୍ସ୍ୟ ଜୀବିଙ୍କ ଆଶା ମଉଳି ଯାଇଛି । ଚଳିତ ବର୍ଷ ପ୍ରତିକୂଳ ମୌସୁମୀ ବର୍ଷା ଓ ପୂର୍ବେଇ ବାହା ଯୋଗୁ ଅଗଭୀର ସମୁଦ୍ର ଗର୍ଭରୁ ଇଲିଶି ମାଛ ଜାଆଁଳ ଛାଡିବାକୁ ନଦୀ ମୁହାଣ ମଧୁର ଜଳକୁ ଆସି ନଥିବା କଥା ପୁରୁଣା ମତ୍ସ୍ୟ ଜିବି ମାନେ କହନ୍ତି । କୋଭିଡର କଟକଣା, ସଂକ୍ରମଣ,ପରେ ଅଭାବୀ ମାଛ ମରା ସାଙ୍ଗକୁ ନଦୀ ମୁହାଣରେ ଇଲିଶି ମାଛର ଅନୁପସ୍ଥିତି ମତ୍ସ୍ୟ ଜୀବିଙ୍କ ଜୀବିକାକୁ ସଂକଟରେ ପକାଇଛି । ଏପଟେ ପ୍ରକୃତିର ପ୍ରତିକୂଳ ପରିସ୍ଥିତି ମତ୍ସ୍ୟ ଜୀବିଙ୍କୁ ସାଥ ଦେଉନଥିବା ବେଳେ ସ୍ଥାନୀୟ ସାମୁଦ୍ରିକ ମତ୍ସ୍ୟ ବିଭାଗୀୟ ଅଧିକାରୀଙ୍କ ସହାୟତା ରାଶି ଆବଣ୍ଟନ ରେ ଅସଲ ମତ୍ସ୍ୟ ଜିବି ଚିହ୍ନଟ ରେ ଅଣଦେଖା ସେମାନଙ୍କ ପାଇଁ ଦୁଃଖଦ ଘଟଣା ହୋଇଛି । ଏଭଳି ସ୍ତିତିରେ ସରକାରଙ୍କ ସାମୁଦ୍ରିକ ମତ୍ସ୍ୟ ଜିବି ଉନ୍ନତି କରଣ ଯୋଜନା ରେ ସୁବିଧା ଯୋଗାଇ ଦେବାକୁ ସ୍ଥାନୀୟ ଅଂଚଳର ମତ୍ସ୍ୟ ଜିବି ମାନେ ଦାବୀକରନ୍ତି ।